ଲିଙ୍ଗରାଜଙ୍କ ନୀତି ବିଭ୍ରାଟ : ଲାଗି ହେଲାନି ମକରଭୋଗ
ଭୁବନେଶ୍ୱର : ମକର ସଂକ୍ରାନ୍ତିରେ ମହାବିଭ୍ରାଟ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଲାଗି ହୋଇପାରିଲାନି ମକର ଭୋଗ । ଗତକାଲି ପୁଷ୍ୟାଭିଷେକ ଓ ସନ୍ଧ୍ୟା ଧୂପ ପରେ ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରଭୁଙ୍କ ପାଇଁ କ୍ଷୀର ଆହୁଟା ଯାଇଥିଲା । ଆଜି ଏହି ଆହୁଟାକ୍ଷୀରକୁ ମକର ଚାଉଳରେ ବ୍ୟବହୃତ ହୋଇ ଠାକୁରଙ୍କୁ ଲାଗି କରାଯାଇଥା’ନ୍ତା । କିନ୍ତୁ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁ ଆଜି ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଥିଲା । ସେବା ଆବଣ୍ଟନକୁ ନେଇ ଉଭୟ ନିଯୋଗ ମଧ୍ୟରେ ଭାଗ ନ ଛିଡ଼ିବାରୁ ଆଜି ବ୍ରାହ୍ମଣ ନିଯୋଗ ନୀତିକାନ୍ତି କରିବାକୁ ମନା କରିଥିଲେ । ଫଳରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଆସିଥିଲେ ମଧ୍ୟ ଠାକୁରଙ୍କ ନୀତିକାନ୍ତି ଦେଖିପାରିନାହାନ୍ତି । ସେପଟେ ମହାପ୍ରଭୁ ଆଜି ଦିନସାରା ମକର ମଣ୍ଡପରେ ନୀତି ଅପେକ୍ଷାରେ ରହିଥିବା ବେଳେ ଏହାକୁ କଡ଼ା ନିନ୍ଦା କରିଛନ୍ତି ଶ୍ରଦ୍ଧାଳୁ ।
ବିବାଦକୁ ନେଇ ଆଜି ଟ୍ରଷ୍ଟବୋର୍ଡ ପକ୍ଷରୁ ଉଭୟ ନିଯୋଗକୁ ନେଇ ବୈଠକ ବସିଥିଲା । ହେଲେ ବୈଠକରେ ସେବା ଆବଣ୍ଟନନେଇ ଟଣା ଓଟରା ଲାଗି ରହିବାରୁ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା । ଫଳରେ ବ୍ରାହ୍ମଣ ନିଯୋଗମାନେ ବୈଠକରୁ ଉଠି ଚାଲି ଯାଇଥିଲେ । ଶ୍ରୀଲିଙ୍ଗରାଜ ବଡ଼ୁ ନିଯୋଗ ସମ୍ପାଦକ କମଳକାନ୍ତ ବଡ଼ୁ କହିଛନ୍ତି, ଆଜି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁଷ୍ଠିତ ବୈଠକରେ ସମସ୍ତ ସେବା ଓ ନୀତିକାନ୍ତି ଉପରେ ବିଶେଷ ଆଲୋଚନା ହୋଇଥିଲା । ଆମ ନିଯୋଗ ପକ୍ଷରୁ ୧୮୬୩ ମସିହାରୁ ତିଆରି ହୋଇଥିବା ଚୁକ୍ତିପତ୍ର ସହ ସମସ୍ତ ରେକର୍ଡ ନେଇ ଆସିଥିଲୁ । ଏଥିରେ କିଏ କେଉଁ ସେବାରେ ନିଯୁକ୍ତ ହେବ ତାହା ଉଲ୍ଲେଖ ରହିଛି । କିନ୍ତୁ ବ୍ରାହ୍ମଣ ନିଯୋଗ ପକ୍ଷରୁ କୌଣସି ରେକର୍ଡ ଉପସ୍ଥାପିତ କରାଯାଇପାରି ନ ଥିଲା ଏବଂ ୧୮୬୩ ମସିହାରେ ତିଆରି ହୋଇଥିବା ନିୟମ ବହୁତ ପୁରୁଣା ଆମେ ତାହାକୁ ମାନିବୁନି କହି ବ୍ରାହ୍ମଣ ନିଯୋଗ ବୈଠକ ଛାଡ଼ି ଚାଲି ଯାଇଥିଲେ । ସେପଟେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚô ନାରାୟଣ ପତିଙ୍କ କହିବା କଥା ନୀତି କାହିଁକି ବନ୍ଦ ହୋଇଛି ସେ ଉପରେ ବିଶେଷ ଧ୍ୟାନ ଦିଆଯାଉ । ଦାୟିତ୍ୱ କିଏ କ’ଣ ପାଇବ ତାହା ପଛକଥା କହି ଏଡ଼ାଇ ଯାଇଥିଲେ । ସେହିପରି ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି ହଠାତ ବିବାଦ ସମ୍ପର୍କରେ ଆଗରୁ କୌଣସି ସୂଚନା ନଥିଲା । ତୁରନ୍ତ ଏହାର ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ପ୍ରସ୍ତୁତ କରାଯାଉଛି । ତେବେ ପୁନଃ ଟ୍ରଷ୍ଟବୋର୍ଡ ବୈଠକ ପରେ ଏହି ବିବାଦର ସମାଧନ ପାଇଁ ପଦକ୍ଷେପ ନିଆଯିବା ସହ ‘ଏଣ୍ଡାଓମେଣ୍ଟ କମିଶନ ୪୧’ ଅନୁଯାୟୀ ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଉଭୟ ପକ୍ଷ ଗ୍ରହଣ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।