ବାଜବାଟିରୁ ବେଫିକର କଳାପଥର ଲୁଟ୍ : କାହିଁକି ହାତ ବାନ୍ଧି ବସିଛି ଖଣି ବିଭାଗ?
ାା ପ୍ରଭାନୁ୍ୟଜ ।ା ଜାରକା: ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟିରୁ ବେଫିକର କଳାପଥର ଲୁଟ୍ ହେଉଛି । ଲିଜ ନଥିବା ସଇରାତରୁ କୋଟି କୋଟି ଟଙ୍କାର କଳାପଥର ଲୁଟ୍ ହେଉଥିଲେ ମଧ୍ୟ ଖଣି ବିଭାଗ କାହିଁକି ହାତବାନ୍ଧି ବସିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିନ ରାତି ଅହରହ ଏଠାରୁ ଚୋରି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଲିଜକୁ ଆଳ କରି ଖସି ଯିବାକୁ ଉପଯୁକ୍ତ ଭାବିଛନ୍ତି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବେଆଇନ କଳାପଥର ଚୋରି ବନ୍ଦ କରିବାକୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ ରହିଛି । ଅନୁମତି ଠାରୁ ଅଧିକ ଉତ୍ତୋଳନ କରିଥିବା ଲିଜଧାରୀଙ୍କ ଉପରେ ଦୀର୍ଘ ବର୍ଷ ଧରି ଅନାଦେୟ ଥିବା କୋଟି କୋଟି ଟଙ୍କା ଜରିମାନା ଅର୍ଥ ଆଦାୟ ପାଇଁ ଦାବି କରିବା ପରେ ଓପିଡ଼ିଆର୍ କେସ ମଧ୍ୟ ରୁଜୁ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁ ପତ୍ର ଦ୍ୱାରା ଖଣି ଲୁଟ୍ ଓ ଓପିଡିଆର୍ ପ୍ରସଙ୍ଗକୁ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ପ୍ରଶାସନ ଉପରେ ଏହାର କିଛି ପ୍ରଭାବ ପଡୁନାହିଁ । ଓଲଟି କଳାପଥର ଲୁଟ୍ର ସାମ୍ରାଜ୍ୟ ବିସ୍ତାର ହେବାରେ ଲାଗିଛି । ଖଣି ଅଧିକାରୀ ନାମକୁ ମାତ୍ର ଖଣି ଅଞ୍ଚଳ ବୁଲି ଦେଇ ଅର୍ଥ ଗୋଟାଇବାରେ ବ୍ୟସ୍ତ ଥିବା ଆଲୋଚନା ହେଉଛି । ଧର୍ମଶାଳା ତହସିଲ ଅଞ୍ଚଳରେ ରହିଥିବା କଳାପଥର ଖାଦାନଗୁଡ଼ିକ ଲିଜ୍ ବା ଅଣଲିଜ୍ ପ୍ରାପ୍ତ ତାକୁ ନେଇ ମାଫିଆଙ୍କର ଖାତିର ନାହିଁ । ସାଧାରଣତଃ ଅଣଲିଜ୍ ଖାଦାନରେ ୧୪୪ ଧାରା ବଳବତର ରହିଛି । ହେଲେ ପୁଲିସର ଢିଲାପଣ ଯୋଗୁ ୧୪୪ ଧାରା କେବଳ ଧର୍ମକୁ ଆଖି ଠାର ପାଲଟିଛି । ବାଜବାଟି ପାହାଡ଼ରେ ୬ଟି ଦ୍ୱାରୀ ରହିଥିବା ବେଳେ ୫ଟିରେ ଲିଜ୍ ରହିଛି । ୨ ଓ ୬ନଂ ଦୁଇଟି କ୍ୱାରୀକୁ ବାର୍ଷିକ ପ୍ରାୟ ୩ କୋଟି ଟଙ୍କାରେ ଦୁଇଜଣଙ୍କୁ ଲିଜ୍ ଦିଆଯାଇଛି । କିଛିମାସ ତଳେ ୩ ଓ ୪ନଂ କ୍ୱାରୀକୁ ଏଆଇପିଏଲ୍ ସଂସ୍ଥାକୁ ଓ ୫ନଂ କ୍ୱାରୀକୁ ବିଜେତା କମ୍ପାନିକୁ କ୍ଷଣସ୍ଥାୟୀ ଅନୁମତି ମିଳିଛି । ବିଜେତା ଖଣି ଅପରେସନ ଏଯାଏଁ ଆରମ୍ଭ କରିନାହିଁ । ୧ନଂ କ୍ୱାରୀ ବର୍ତମାନ ସୁଦ୍ଧା ଅଣଲିଜ୍ ରହିଛି । ଏଠାରେ ୧୪୪ ବଳବତର ରହିଛି । ଏହି ୧ନଂ କ୍ୱାରୀ ଓ ବିଜେତା ନେଇଥିବା ୫ନଂ କ୍ୱାରୀରୁ ଦୈନିକ ୩ ହଜାରରୁ ଅଧିକ ଟନ୍ କଳାପଥର ଚୋରି ହେଉଛି ବୋଲି ହେଉଛି ଅଭିଯୋଗ । ଏହି କ୍ୱାରୀରେ ପଥର ବ୍ଲାଷ୍ଟିଂ ପାଇଁ କମ୍ରେସର ଓ ପଥର ଲୋଡିଂ ପାଇଁ ମେସିନ ଆଦି ମହଜୁଦ ରହିଛି । ସରକାରୀ ଭାବରେ ସିଏମ୍ ପିନ୍ଧା ୪୭୫ଟଙ୍କା ପାଖାପାଖି ରାଜସ୍ୱ ମିଳୁଥିବା ବେଳେ ଏହି ଦୁଇଟି ଖାଦାନରୁ କଳାପଥରକୁ ମାଫିଆ ୩୫୦ ଟଙ୍କାରେ ସିଏମ୍ ପିଛା ବିକ୍ରି କରିଦେଉଛନ୍ତି । ଟନ୍ ପିଛା ୧୫୦ ଟଙ୍କା ହିସାବରେ ୩ହଜାର ଟନ୍ରେ ୩ଲକ୍ଷ ଟଙ୍କା ମାଫିଆଙ୍କ ପକେଟକୁ ଯାଉଛି । ସେପଟେ ଦୈନିକ ପ୍ରାୟ ୪ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେଉଛି । ଖଣି ବିଭାଗ ଓ ପୁଲିସର ପରୋକ୍ଷରେ ସହଯୋଗରେ ମାଫିଆ ବଳିଆନ୍ ହୋଇଛନ୍ତି ବୋଲି ଆଲୋଚନା ହେଉଛି । ବାଜବାଟି କଳାପଥର ଲୁଟ୍ ପଛର କାର୍ପଟଦାର କିଏ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏସମ୍ପର୍କରେ ଡିଡିଏମ୍ ଜୟ ପ୍ରକାଶ ନାୟକଙ୍କ ମତାମତ ନେବାରେ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ନଟ୍ରିଚେବୁଲ ଦେଖାଇଥିଲା ।