ମିଲେଟ ମିଶନ ଅନୁଦାନ ହରିଲୁଟ୍

 ନବରଙ୍ଗପୁର: ସରକାରଙ୍କ ପକ୍ଷରୁ ହଜି ଯାଉଥିବା ପୁଷ୍ଟିକର ଫସଲ ଖୋଜିବା ସହ ପୁନଃ ଉତ୍ପାଦନ ପାଇଁ ମିଲେଟ ମିଶନ ଯୋଜନାରେ ବିପୁଳ ଅନୁଦାନ ଖର୍ଚ୍ଚ ହେଉଛି । ଜିଲ୍ଲାରେ କୃଷି ବିଭାଗ କର୍ତ୍ତୃପକ୍ଷ ଓ ନକଲି ଚାଷୀ ତଥା ଦଲାଲଙ୍କ ମିଲେଟ ମିଶନ ବାଟବଣା ହେବା ସହ କୋଟି କୋଟି ଟଙ୍କାର ଅନୁଦାନ ହରିଲୁଟ ହେଉଥିବା ଅଭିଯୋଗ ହେଉଛି  । ପ୍ରକୃତ ମାଣ୍ଡିଆ ଚାଷୀ ଅନୁଦାନରୁ ବଞ୍ଚିତ ହେଉଛନ୍ତି । ମିଲେଟ ମିଶନର ଏମିତି ବିକଳ ଚିତ୍ର ସାମ୍ନାକୁ ଆସିଛି ପାପଡାହାଣ୍ଡି ବ୍ଲକରୁ । 
ପ୍ରକାଶ ଯେ, ପାପଡାହାଣ୍ଡି ବ୍ଲକ ନୂଆକୋଟି ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଆଗୁଡା ଗ୍ରାମର ଗୋପୀନାଥ ଗୌଡ଼ ଓ କୃଷ୍ଣ ଗୌଡ଼ ଦୁଇ ଜଣ ଚାଷୀ ନିଜ ଜମିରେ ନିଜସ୍ୱ ଖର୍ଚ୍ଚରେ ମାଣ୍ଡିଆ ଚାଷ କରିଛନ୍ତି । ସରକାରୀ ସହାୟତା ପାଇଁ ସ୍ଥାନୀୟ କୃଷକ ସାଥି ଓ କୃଷି କାର୍ଯ୍ୟାଳୟରେ ବାରମ୍ବାର କାଗଜପତ୍ର ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାଣି କଉଡ଼ିଟିଏ ଆର୍ଥôକ ସହାୟତା ବାବଦରେ ପାଇନଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ନୂଆକୋଟ ପଞ୍ଚାୟତ ପଣ୍ଡିତଗୁଡା ଗ୍ରାମର ଦୁଇ ଚାଷୀ ଯୁଗଧର ଗୌଡ଼ ଓ ବିଶ୍ୱନାଥ ଗୌଡ । ଯୁଗଧର କେବେ ମଧ୍ୟ ନିଜର କୌଣସି ଜମିରେ ମାଣ୍ଡିଆ ଚାଷ ନ କରି ମକା ଚାଷ କରୁଛନ୍ତି  । ଗତ ୨୦୨୨-୨୩ ବର୍ଷରେ ଉକ୍ତ ପଞ୍ଚାୟତର କୃଷକ ସାଥି ଓ କୃଷି କର୍ମଚାରୀ ତାଙ୍କ ମକାଚାଷ ଜମିର କାଗଜପତ୍ର ମାଗି ନେଇ ମାଣ୍ଡିଆ ଚାଷ ନିମନ୍ତେ ପ୍ରୋତ୍ସାହନ ଦିଆଯିବ ବୋଲି କହିଥିଲେ  । ପରେ ଆନୁସଙ୍ଗିକ କାଗଜପତ୍ରରେ ଜାଲିଆତି କରାଯାଇ ତାଙ୍କ ଆକାଉଣ୍ଟରେ ସେତେବେଳେ ୧୦ ହଜାର ଟଙ୍କା ଜମା କରିଥିଲା କୃଷିବିଭାଗ  । ଯାହା ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟରୁ ସୂଚନା ମିଳିଛି । ପରେ ସମ୍ପୃକ୍ତ କର୍ମଚାରୀମାନେ ଆସି ଜମା ଟଙ୍କା ଉଠାଇବାକୁ କହିଥିଲେ ଓ ୧୦ ହଜାରରୁ ଚାଷୀ ଯୁଗଧରଙ୍କୁ ମାତ୍ର ରିଛନ୍ତି । ସେହିପରି ପୁଣିଥରେ ୨୦୨୩ -୨୪ ବର୍ଷରେ ୯ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ସେ ଜାଣିନଥିବା କହିଛନ୍ତି  । ସେହିଭଳି ଅନ୍ୟତମ ଚାଷୀ ବିଶ୍ୱନାଥ ଗୌଡ଼ ତାଙ୍କ ଆକାଉଣ୍ଟରେ ଆସିଥିବା ୧୦ ହଜାର ଟଙ୍କା ଉଠାଇ ଅଧିକାରୀଙ୍କୁ ଦେବା ପରେ ତାଙ୍କୁ ମିଳିଛି ମାତ୍ର ୧ ହଜାର ଓ ବଳକା ଟଙ୍କା ନେଇଛନ୍ତି ସମ୍ପୃକ୍ତ କୃଷି କର୍ମଚାରୀ ବୋଲି କହିଛନ୍ତି । ସେହିଭଳି ତାଙ୍କ ଆକାଉଣ୍ଟକୁ ପୁଣିଥରେ ୧୨ଶହ ଟଙ୍କା ଆସିଥିବା ବିଷୟରେ ସେ ଜାଣିନଥିବା ଅଭିଯୋଗ ଆଣିଛନ୍ତି । ଚଳିତ ୨୦୨୪ -୨୫ ବର୍ଷରେ ନୂଆକୋଟ ଗ୍ରାମର ପରୀକ୍ଷିତ ଗୌଡ଼ ଓ ମତାଇ ଉତରା ନିଜ ଜମିରେ ମକା ଚାଷ କରିଥିଲେ । ଗତ ବର୍ଷ କର୍ଣ୍ଣାଟକରୁ ଆସିଥିବା ମାଣ୍ଡିଆ ଟ୍ରକ ଜବତ ପରେ ସତ ସାମ୍ନାକୁ ଆସିଥିଲା । ଜିଲ୍ଲା କୃଷି ବିଭାଗ ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ୨୦୨୨ -୨୩ ବର୍ଷରେ ୪୧୭୭ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିଲେ ୯୩୮୬ ଚାଷୀ  । ସରକାରୀ ପ୍ରୋତ୍ସାହନ ବାବଦରେ ୨ କୋଟି ୯୧ ଲକ୍ଷ ୧୧ ହଜାର ୩୪୦ ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ୨୦୨୩ -୨୪ ବର୍ଷରେ ୮୦୧୧ ଜମିରେ ମାଣ୍ଡିଆ ଚାଷ ପାଇଁ ୧୫୩୨୦ ଚାଷୀଙ୍କୁ ୫ କୋଟି ୨୧ ଲକ୍ଷ ୬୮ ହଜାର ୭୭୫ ଟଙ୍କା ପ୍ରଦାନ କରାଯାଇଛି  । ୨୦୨୪ -୨୫ ବର୍ଷରେ ୬୪୩୭ ହେକ୍ଟର ଜମିରେ ମାଣ୍ଡିଆ ଚାଷ ନିମନ୍ତେ ୧୩୧୮୫ ଚାଷୀଙ୍କୁ ୩ କୋଟି ୬୩ ଲକ୍ଷ ୯୧ ହଜାର ୨୦୦ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି  । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି  । ଅନ୍ୟପକ୍ଷରେ ସମସ୍ତ ଅଭିଯୋଗର ତଦନ୍ତ ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି. ଭେଙ୍କଟ ରମଣ ରାଓ ।