୮ ପଡ଼ିଆରେ ନକ୍ଆଉଟ୍ ଫୁଟବଲ୍

 ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ୍ କାଲସାଏପାଲି ୫-୧ ଗୋଲରେ ଭିକ୍ଟୋରିୟସ କ୍ଲବ୍କୁ ହରାଇଛି । ଏଠାରେ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ବ୍ଲକ୍ ଅଧ୍ୟକ୍ଷ ଗୋଳାପ ବାଗ ଓ ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସମ୍ପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ ବେହେରା ମଞ୍ଚାସିନ ଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସରଗାଡ ଟ୍ରାଇବ୍ରେକର ସଡନ ଡେଥରେ କୁଶଙ୍ଗକୁ ହରାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗ ଦେଇଥିଲେ ।
ସେହିପରି ଚୁଡାପାଲି ପଡିଆରେ ଡଙ୍ଗାଘାଟ ଟ୍ରାଇବ୍ରେକର ୩-୨ ଗୋଲରେ ଲରମ୍ଭାକୁ ହରାଇ ବିଜୟୀ ହୋଇଥିବା ବେଳେ ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ୩-୦ ଗୋଲରେ ମଣିଗାଁକୁ ହରାଇ ବିଜୟୀ, ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୫-୦ ଗୋଲରେ ତୁଷୁରାକୁ ହରାଇ ବିଜୟୀ, ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ଏଏ ୧-୦ ଗୋଲରେ ଏଚ୍ଆରଡିଏ ଖଲିଆପାଲିକୁ ହରାଇ ବିଜୟୀ, ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଣ୍ଟାବାଞ୍ଜି ୩-୦ ଗୋଲରେ ବଡଗମଡାକୁ ହରାଇ ବିଜୟୀ, ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ଟ୍ରାଇବ୍ରେକର ୫-୪ ଗୋଲରେ ଜେଏସ୍ସି ଖଲିଆପାଲିକୁ ହରାଇ ବିଜୟୀ ହୋଇଥିଲା ।