୫ ଲକ୍ଷର ସୁନାଗହଣା ଲୁଟ୍

ବାଲିଅନ୍ତା : ଘରେ କେହି ନଥିବା ବେଳେ, ଗତ ବୁଧବାର ରାତିରେ ଜଣେ ଅଧ୍ୟାପକଙ୍କ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ଘଟଣାଟି କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଅଞ୍ଚଳରେ ଘଟିଥିବା ବେଳେ, ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ସେ ସ୍ଥାନୀୟ ଏକ ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଥିବା ବେଳେ, କିଛି ମାସ ହେବ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ଖବର ନେବାବେଳେ ଜଣାପଡିଛି ସ୍ଥାନୀୟ ପୁବାଶାସନ ଗ୍ରାମର ଜନୈକ ବ୍ୟକ୍ତି ଉତ୍ତରା ସ୍ଥିତ ଏକ ଘରୋଇ କଲେଜ ନିକଟରେ ନୂତନ ଘର ତୋଳି ରହିଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇ ତଳ ବିଶିଷ୍ଟ ଏହି ଘରେ ୩ ପରିବାର ରହୁଥିଲେ । ଅଧ୍ୟାପକ ଶ୍ରୀ ତ୍ରିପାଠୀ ତଳ କୋଠରୀରେ ରହିଆସୁଥିଲେ । ଗତ ୨ ଦିନ ତଳେ କୌଣସି କାମରେ ସପରିବାର ସମ୍ବଲପୁର ଯାଇଥିଲେ । ଫଳରେ ତାଙ୍କ ଘର ତାଲା ପଡିଥିଲା । ମାତ୍ର ଗତକାଲି ତଥା ଗୁରୁବାର ରାତିରେ କେହି ଦୁର୍ବୁତ୍ତ ତାଙ୍କ ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି କବାଟ ତାଡି ଆଲମିରାରୁ ୫ ଲକ୍ଷ ଟଙ୍କାର ସୁନାଅଳଙ୍କର ଚୋରୀ କରି ଫେରାର ହୋଇଯାଇଥିଲେ । ଆଜି ସକାଳେ ଉପର ମହଲାରେ ଭଡାରେ ରହୁଥିବା ପରିବାର ସଦସ୍ୟ କୌଣସି କାମରେ ତଳକୁ ଆସିବା ବେଳେ ମୁଖ୍ୟଫାଟକର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ପରେ ସନେ୍ଦହ ହେବାରୁ ସେ ଘରର ଚାରିପଟେ ବୁଲିବା ବେଳେ ମୁଖ୍ୟ କବାଟ ତଡା ଯିବା ସହ ଆଲମାରୀ ଖୋଲା ରହିଥିଲା ଏବଂ ଜିନିଷ ଗୁଡିକ ଖଟ ଉପରେ ୟାଡେସ୍ୟାଡେ ଫୋପଡ଼ା ଫିଙ୍ଗା ହୋଇ ପଡ଼ିଥିଲା । ସେ ସଙ୍ଗେ ସଙ୍ଗେ ଫାଣ୍ଡି ପୁଲିସକୁ ଜଣାଇବା ପରେ ଫାଣ୍ଡି ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ମାତ୍ର ଶ୍ରୀ ତ୍ରିପାଠୀ ସମ୍ବଲପୁରରେ ଥିବାରୁ ସଙ୍ଗେ ସଙ୍ଗେ ଆସିବା ସମ୍ଭବ ହୋଇନଥିଲା । ଆଜି ସମ୍ବଲପୁରରୁ ଫେରି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଆଲମିରାରେ ଥିବା ସୁନା ଚେନ, ହାର, ମୁଦି, କାନଫୁଲ, ମଙ୍ଗଳସୂତ୍ର ଏବଂ ରୁପା ଅଳଙ୍କାର ଚୋରୀ ହୋଇଥିବା ଚୋରୀ ହୋଇଥିବା ବେଳେ, ଏହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେହିପରି ଦୁର୍ବୁତ୍ତ ଅନ୍ୟ ୨ ଜଣଙ୍କ ଘରୁ ଚୋରି କରିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।