ଧୂଷୁରୀକୁ ମିଳିଛି ଉପଯୁକ୍ତ ସମ୍ମାନ: ବିଜେପି

 ଧୂଷୁରୀ/ଧାମନଗର : ଭଦ୍ରକ ଜିଲ୍ଲାର ପ୍ରମୁଖ ସ୍ଥାନ ଧାମନଗର ବ୍ଳକର ଧୂଷୁରୀକୁ ରାଜ୍ୟ ସରକାର ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି । ଏହାକୁ ସ୍ୱାଗତ କରି ଭାରତୀୟ ଜନତା ପାର୍ଟି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି । ରବିବାର ଧୂଷୁରୀ ଠାରେ ବିଜେପି ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁଙ୍କ ପୌରହିତ୍ୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଧାମନଗର ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ, ବିଜେପି ଜିଲ୍ଲା ଉପସଭାପତି ଚତୃଭୂଜ ନାୟକ, ବରିଷ୍ଠ ନେତା ରାମଚନ୍ଦ୍ର ମିଶ୍ର, ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଦୀପ୍ତିରଞ୍ଜନ ମହାଳିକ, ସେବାନିବୃତ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି, ବମକୁରା ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ଫଣି ଭୂଷଣ ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆନେ୍ଦାଳନ ଠାରୁ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ପର୍ଯ୍ୟନ୍ତ ଧୂଷୁରୀ ମାଟିର ସ୍ୱତନ୍ତ୍ରତା ରହି ଆସିଛି ଏବଂ ଏହି ଅଞ୍ଚଳକୁ ବ୍ଲକ/ଏନଏସି କରିବା ପାଇଁ ଦିବଙ୍ଗତ ଜନନେତା ବିଷ୍ଣୁ ସେଠୀ ବିଧାନସଭାରେ ସ୍ୱର ଉଠାଇଥିବା ବେଳେ ତାହା ଆଜି ସାକାର ହୋଇଛି କହି ରାଜ୍ୟ ସରକାର ଧୂଷୁରୀକୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ବୋଲି କହିଥିଲେ । ଏହି ଐତିହାସିକ ନିଷ୍ପତ୍ତି ପାଇଁ ଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ସ୍ଥାନୀୟ ବିଧାୟକ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୃତଜ୍ଞତା ଜଣାଇଛି । ଶହୀଦ ମଣ୍ଡଳର ପ୍ରାକ୍ତନ ସଭାପତି ଅଜୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।