ବ୍ୟାଙ୍କ ଖୋଲୁଖୋଲୁ ଲୁଟ୍


 ଯୋଡ଼ା : ସକାଳୁ ସକାଳୁ ବ୍ୟାଙ୍କ ଖୋଲିବା ମାତ୍ରେ ଗ୍ରାହକଙ୍କ ଭିଡ଼ ଜମିଗଲା  । ତେବେ ଗ୍ରାହକଙ୍କ ଭଳି ୫ ଡକାୟତ ବ୍ୟାଙ୍କ ଭିତରେ ପଶି କର୍ମଚାରୀ ଓ ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ  । ଏହାପରେ ଷ୍ଟ୍ରଙ୍ଗରୁମରୁ ୧୧ ଲକ୍ଷ ଟଙ୍କା ଓ ସୁନା ଲୁଟ୍ କରି ଚାଲି ଯାଇଥିଲେ  । ଦିନ ୧୦ଟାରେ ସିନେମା ଷ୍ଟାଇଲ୍ରେ ଏଭଳି ସଶସ୍ତ୍ର ଡକାୟତି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟିକରିଛି  । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରୁ ଆଜି ସକାଳ ପାଖାପାଖି ୧୦ ସମୟରେ ବ୍ୟାଙ୍କ ଡକାୟତି ହୋଇଯାଇଛି  । ଯୋଡ଼ା ସହରର ମୁଖ୍ୟ ରାସ୍ତା ଏସଟି ଟେରେସା ସ୍କୁଲ ସମ୍ମୁଖରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ସଶସ୍ତ୍ର ଡ଼କାୟତି ହୋଇଛି  । ବ୍ୟାଙ୍କ ଖୋଲିବା ସମୟରେ ଗ୍ରାହକଙ୍କ ଭଳି ୫ ଜଣିଆ ଡକାୟତ ଦଳ ଭିତରକୁ ଯାଇ କର୍ମଚାରୀ ଓ ଅନ୍ୟ ଦୁଇ ତିନି ଜଣ ଗ୍ରାହକଙ୍କୁ ବନ୍ଧୁକ ଲଗାଇ ଷ୍ଟ୍ରଙ୍ଗ ରୁମ ଭିତରକୁ ନେଇ ଯାଇଥିଲେ  । ସମସ୍ତଙ୍କ ମୋବାଇଲ ଛଡ଼ାଇ ନେଇ ବ୍ୟାଙ୍କରେ ଗୋଟିଏ ଜାଗାରେ ଫିଙ୍ଗି ଦେଇଥିଲେ  । ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମରୁ ୧୧ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା  ଓ ବହୁ ପରିମାଣର ସୁନା ନେଇ ସମସ୍ତଙ୍କୁ ଭିତରେ ରଖି ବାହାରୁ ଖିଡ଼ିକି ଲଗାଇ ଚାଲି ଯାଇଥିଲେ  । ଏନେଇ ବ୍ୟାଙ୍କ୍ ମ୍ୟାନେଜର ସୂଚନା ଦେଇଛନ୍ତି  । ସେମାନେ ଭିତରୁ ଖିଡିକି ଭାଙ୍ଗି ବାହାରିବା ପରେ ପୋଲିସକୁ ଜଣାଇଥିଲେ  । ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ପରେ ବଡ଼ବିଲ ଏସଡିପିଓ ପହଞ୍ଚି ଛାନଭିନ କରୁଥିବା ସମୟରେ, ଜିଲ୍ଳାର ବହୁ ଥାନା ଅଧିକାରୀ, ଏସଡିପିଓ, ଆଡିସନାଲ୍ ଏସପି ତଦନ୍ତ କରୁଥିବା ସମୟରେ, ରାଉରକେଲା ଏସପି ଏବଂ ଉତ୍ତରାଞ୍ଚଳ ଡିଆଇଜି ଯୋଡ଼ାରେ ପହଞ୍ଚିଥିଲେ  । ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସର ହାତ ଖାଲି ଥିବା ଜଣାପଡିଛି  । ପୋଲିସକୁ ଚ୍ୟାଲେଞ୍ଜ କରି ଏଭଳି ଘଟଣା ଘଟାଇଥିବାରୁ ସାଧାରଣରେ ଚିନ୍ତା ପ୍ରକଟ ହେଉଛି ।