ଭୁବନେଶ୍ୱରରୁ ଉଡ଼ିବ... ଆବୁଧାବି ଓ ବିଶାଖାପାଟଣାକୁ ସିଧା ବିମାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରରୁ ଆବୁଧାବିକୁ ଏହି ବିମାନ ସେବା ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ଆରମ୍ଭ କରାଯାଇଛି । ଏହା ସିଧାସଳଖ ଆବୁଧାବିକୁ ଯାତ୍ରା କରିବ ।
ସୂଚନାଯୋଗ୍ୟଯେ, ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନସେବା ଉପଲବ୍ଧ ହେବ । ୧୮୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ । ଭୁବନେଶ୍ୱରରୁ ମାତ୍ର ୪ ଘଣ୍ଟା ମଧ୍ୟରେ ଯାତ୍ରୀମାନେ ଆବୁଧାବିରେ ପହଞ୍ଚିବେ । ଏହି ବିମାନ ଚଳାଚଳ ଦ୍ୱାରା ଓଡିଶାରୁ ଆବୁଧାବି ଯାଉଥିବା ଯାତ୍ରୀମାନେ, ଉଭୟ ସମୟ ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।
ଏଥିସହିତ ଆଜି ଭୁବନେଶ୍ୱରରୁ ବିଶାଖାପାଟଣାକୁ ମଧ୍ୟ ବିମାନସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେକ ଯାତ୍ରୀଙ୍କୁ ବୋର୍ଡିଙ୍ଗ୍ ପାସ୍ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ବିମାନସେବା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ନିଉ ଡେଷ୍ଟିନେସନ ପଲିସି ଆଧାରରେ ଏହି ସେବାର ଶୁଭାରମ୍ଭ ହୋଇଛି । ଏହି ସେବା ଦ୍ୱାରା ମଧ୍ୟପ୍ରାଚ୍ୟ ଦେଶଗୁଡିକ ସହିତ ଓଡିଶାର ଯୋଗାଯୋଗ ଆହୁରି ବ୍ୟାପକ ହେବ । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କ ଆହୁରି ସୁଦୃଢ ହେବ । ଏହି ବିମାନର କାର୍ଗୋ ସେବାରେ ଆଜି ବିଭିନ୍ନ ପନିପରିବା ସହିତ ୫୦ ଟନ ଆମ୍ରପଲ୍ଲି ଆମ୍ବ ରପ୍ତାନୀ କରାଯାଇଛି । ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଡିବା ପାଇଁ ଉଦ୍ୟମ ଜାରି ରହିଛି । ଭୁବନେଶ୍ୱରରୁ ଡେରାଡୁନ, ଗାଜିଆବାଦ, ଗୋଆ, ଇଣ୍ଡୋର, କୋଚି, ଲକ୍ଷ୍ନୌ ଓ ପୋର୍ଟବ୍ଳେୟାରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ, ଝାରସୁଗୁଡାରୁ ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ ଓ ରାୟପୁରକୁ ମଧ୍ୟ ବିମାନ ସଂଯୋଗ କରାଯାଇଛି ।