ପଦ୍ମକେଶରପୁରରେ ଶ୍ୱଶୁର,ବୋହୂଙ୍କୁ ହାଣିବା ଘଟଣା ; ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୩ା୪ : ସୁଧ ଟଙ୍କା ପାଇଁ ମଞ୍ଚେଶ୍ୱର ଥାନା ଅଧିନ ପଦ୍ମକେଶରପୁର ଗାଁରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିବା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ବାବୁଲା ଦାସ ଓ ତାପସ ଦାସ । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତଙ୍କ ଖଣ୍ଡା ଚୋଟରେ ଆହତ ହୋଇଥିବା ଶ୍ୱଶୁର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ ।
ସୂଚନାଯୋଗ୍ୟ ଯେ, ଗତ ୧୧ତାରିଖ ରାତି ପ୍ରାୟ ୧୦ଟା ସମୟରେ ମହାଜନ କାରବାର କରୁଥିବା ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ ଘରେ ଖାଉଥିଲେ । ଏହି ସମୟରେ ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ । ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଏହି ବଚସା ଉଗ୍ରରୂପ ନେଇଥିଲା । ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ । ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଶ୍ୱଶୁର,ବୋହୂଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶୁକ୍ରବାର ରାତିରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି । ପୂର୍ବରୁ ମଧ୍ୟ ପଦ୍ମକେଶରପୁର ଗାଁରେ ଏହି ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠି ସଂଘର୍ଷ । ଯାହାକୁ ନେଇ ପୁଲିସକୁ ସେଠାରେ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା । ପରେ ଗାଁରେ ରହିଥିବା ସମସ୍ତ ମହିଳା ଓ ପୁରୁଷଙ୍କୁ ଗିରଫ କରି ଜେଲ ପଠାଇଥିଲା ପୁଲିସ । ଫଳରେ ଗାଁ ପୁରା ସୁନ ହୋଇଯାଇଥିଲା । ଯାହାଦ୍ୱାରା କିଛି ନେତାଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସ ଓ ଗାଁ କମିଟି ମଧ୍ୟରେ ଶାନ୍ତି କମିଟି ଗଠନ କରାଯାଇଥିଲା ।