ଦୁର୍ଗାପୂଜା ପାଇଁ ସାଧାରଣ ବୈଠକ
ରାଜକନିକା : ରାଜକନିକା ଦୁର୍ଗାପୂଜା କମିଟିର ଏକ ସାଧାରଣ ବୈଠକ ମା 'କନିକେଶ୍ୱରୀ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ସମ୍ପାଦକ କପିଳେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ରଖିବା ସହ ମା 'ଙ୍କ ନବରାତ୍ର ପୂଜା ଏବଂ ଯାତ୍ରା ସମ୍ପର୍କରେ ସୂଚନା ଦେବା ସହିତ ପାଣ୍ଠି ସଂଗ୍ରହ ଓ ସଭ୍ୟ ଚାନ୍ଦା ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବୈଠକ ଆରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ସ୍ୱର୍ଗତ ଧ୍ରୁବ ଚରଣ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଅନୁଷ୍ଠାନର ଉପସଭାପତି ମନୋଜ କୁମାର ସେନାପତି, ବରିଷ୍ଠ ଉପଦେଷ୍ଟା ବେଣୁଧର ପରିଡ଼ା ଆଗାମୀ ଦୁର୍ଗାପୂଜାକୁ କିଭଳି ଶାନ୍ତି ଶୃଙ୍ଖଳା ସହିତ ସମାପନ କରାଯିବ ସେ ସମ୍ପର୍କରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ କବି ପ୍ରସାଦ ପାତ୍ର, କୁଳମଣି ବେହେରା,ବସନ୍ତ ବିଶ୍ୱାଳ, ପ୍ରାଣ ବନ୍ଧୁ ରାଉତ,ରମେଶ ଚନ୍ଦ୍ର ପରିଡା,ଧର୍ମ ଜ୍ୟୋତି ରାଉତ,ଅଜୟ କୁମାର ରାଉତ, ସଞ୍ଜୟ କୁମାର ଦାଶ,ଶରତ କୁମାର ମଲ୍ଲିକ, ସରୋଜ କୁମାର ସେନାପତି, ପ୍ରଦୀପ୍ତ କୁମାର ପରିଡା,ବିଶ୍ୱନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।