ଅଙ୍ଗଦାନ ଓ ପ୍ରତ୍ୟାରୋପଣ
ଡା.ଉମେଶ ଚନ୍ଦ୍ର ପାତ୍ର :
ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କ ଠାରେ ରୋପଣ କରାଯାଏ । ଗୋଟିଏ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ ହୋଇପାରନ୍ତି । ଆମ ଦେଶରେ ଯକୃତ, ବୃକକ୍, ହୃତ୍ପିଣ୍ଡ, ଅଗ୍ନ୍ୟାଶୟ ପ୍ରତ୍ୟାରୋପଣ କରିବାର ସୁବିଧା ରହିଛି । ଏହାବ୍ୟତୀତ ଇଣ୍ଟେଷ୍ଟାଇନ୍, ଫୁସ୍ଫୁସ୍, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଆଖି ଆଦି ମଧ୍ୟ ଦାନ କରାଯାଏ । ଅଙ୍ଗଦାନ ଦୁଇ ପ୍ରକାରର ଯଥା - ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ । ଅଙ୍ଗଦାନ ଅଧୀନରେ ବୃକକ୍, ଯକୃତ, ହୃତ୍ପିଣ୍ଡ, ଅନ୍ତ୍ରନଳୀ, ଅଗ୍ନ୍ୟାଶୟ, ଫୁସ୍ଫୁସ୍ ଆଦି ଦାନ କରାଯାଏ । ଟିସୁ ଦାନରେ ରହିଛି ଆଖି, ଅସ୍ଥିମଜ୍ଜା ଏବଂ ତ୍ୱଚା । ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତୁ୍ୟ ପରେ ଦାନ କରାଯାଏ । କିଛି ଅଙ୍ଗ ଏବଂ ଟିସୁ ମନୁଷ୍ୟର ଜୀବିତାବସ୍ଥାରେ ମଧ୍ୟ ଦାନ କରାଯାଇପାରେ । ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ବୃକକ୍ । କାରଣ ଦାନ ଦେଉଥିବା ବ୍ୟକ୍ତି ଗୋଟିଏ ବୃକକ୍ ସହ ସ୍ୱାଭାବିକ ଭାବରେ ବଞ୍ଚôପାରେ । ମୃତ ଶରୀରର ବୃକକ୍ ଅପେକ୍ଷା ଜୀବିତ ବ୍ୟକ୍ତିର ବୃକକ୍ ପ୍ରତ୍ୟାରୋପଣ ଅଧିକ ସଫଳ ଭାବରେ କାର୍ଯ୍ୟକରେ । ଭାରତରେ ହେଉଥିବା ଅଧିକାଂଶ ବୃକକ୍ ପ୍ରତ୍ୟାରୋପଣ ଜୀବିତ ଦାତାଙ୍କ ଠାରୁ ହିଁ ମିଳେ । ଫୁସ୍ଫୁସ୍ ଏବଂ ଯକୃତ କିଛି ମଧ୍ୟ ଜୀବିତ ବ୍ୟକ୍ତି ଦାନ କରିପାରେ । ଆଖି ସମେତ ଅନ୍ୟ ସମସ୍ତ ଅଙ୍ଗ ମୃତୁ୍ୟ ପରେ ହିଁ ଦାନ କରାଯାଏ । ଘରେ ହେଉଥିବା ସାଧାରଣ ମୃତୁ୍ୟ ମାମଲାରେ କେବଳ ଆଖି ଦାନ କରାଯାଇପାରେ । କୌଣସି ବ୍ୟକ୍ତି ବ୍ରେନ୍ ଡେଡ଼୍ ଘୋଷିତ ହେଲେ ଏବଂ ତାଙ୍କୁ ଭେଣ୍ଟିଲେଟର ବା ଲାଇଫ୍ ସର୍ପୋଟ ସିଷ୍ଟମରେ ରଖାଯାଇଥିଲେ ତାଙ୍କର ଶରୀରରୁ ଅନ୍ୟ ଅଙ୍ଗ ଗ୍ରହଣ କରିହୁଏ । ସାଧାରଣ ମୃତୁ୍ୟରେ ବ୍ୟକ୍ତିର ସମସ୍ତ ଅଙ୍ଗ କାମ କରିବା ବନ୍ଦ କରିଦିଏ । ତାହାର ହୃଦ୍ସ୍ପନ୍ଦନ ବନ୍ଦ ହୋଇଯାଏ, ରକ୍ତ ସଞ୍ଚାଳନ ଅଟକିଯାଏ । ଏ ପରିସ୍ଥିତିରେ ଆଖିକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଅଙ୍ଗ ଅନାବଶ୍ୟକ ହୋଇଯାଏ । ରକ୍ତ କୋଷ ନଥିବାରୁ ମୃତୁ୍ୟପରେ କିଛି ଘଣ୍ଟା ପର୍ଯ୍ୟନ୍ତ ଆଖି ଉପରେ କୌଣସି ଫରକ୍ ପଡ଼େ ନାହିଁ । ବ୍ରେନ୍ ଡେଥ୍ ଏପରି ମୃତୁ୍ୟ ଯେଉଁଥିରେ କୌଣସି କାରଣରୁ ମନୁଷ୍ୟର ମସ୍ତିଷ୍କ ଆଘାତପ୍ରାପ୍ତ ହୋଇଥାଏ । ଏହି ଆଘାତ ଦୁର୍ଘଟଣା, ବ୍ରେନ୍ ଟୁ୍ୟମର କିମ୍ବା ଷ୍ଟ୍ରୋକ୍ ଯୋଗୁଁ ହୋଇଥାଏ । ଏପରି ରୋଗୀଙ୍କ ମସ୍ତିଷ୍କର ମୃତୁ୍ୟ ଘଟିଥାଏ, ହେଲେ ସେମାନଙ୍କର ବାକି ଅଙ୍ଗ ଠିକ୍ ଭାବରେ କାମ କରୁଥାଏ । ଅନେକ ଲୋକ କୋମା ଏବଂ ବ୍ରେନ୍ ଡେଥ୍ ସମାନ ବୋଲି ଭାବନ୍ତି । କିନ୍ତୁ କୋମାରେ ଥିବା ରୋଗୀ ସ୍ୱାଭାବିକ ଅବସ୍ଥାକୁ ଫେରିପାରେ । କିନ୍ତୁ ବ୍ରେନ୍ ଡ଼େଥ୍ରେ ଜୀବନର କୌଣସି ସମ୍ଭାବନା ନଥାଏ । ବ୍ରେନ୍ ଡେଥ ବ୍ୟକ୍ତିର ଆଖିକୁ ଛାଡ଼ି ବାକି ସବୁ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଗ୍ରହଣ କରାଯାଇପାରେ । ଯେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବେ । ବୟସ ସହ ଏହାର କୌଣସି ସମ୍ପର୍କ ନାହିଁ । ନବଜାତ ଶିଶୁ ଠାରୁ ଆରମ୍ଭ କରି ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରାଯାଇଥିବା ଅଙ୍ଗ ପ୍ରତ୍ୟାରୋପଣ ସଫଳ ହୁଏ । ଅଙ୍ଗଦାନ ପାଇଁ ଇଛୁକ ବ୍ୟକ୍ତିର ବୟସ ୧୮ବର୍ଷରୁ କମ୍ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା-ବାପାଙ୍କ ଅନୁମତି ନେବା ଜରୁରି । ଯେଉଁ ବ୍ୟକ୍ତିଙ୍କର ବ୍ରେନ୍ ଡ଼େଥ୍ ହୋଇଯାଏ ଡାକ୍ତର ସେମାନଙ୍କୁ ଭେଣ୍ଟିଲେଟରରେ ରଖନ୍ତି । ଡାକ୍ତରମାନଙ୍କର ଏକ ପ୍ୟାନେଲ ଏହା ଘୋଷଣା କରନ୍ତି । ଏହାର ଆଉ କିଛି ସମୟ ପରେ ପୁଣି ଥରେ ବ୍ରେନ୍ ଡେଥ୍ ସମ୍ପର୍କରେ ଘୋଷଣା କରାଯାଏ । ଏହାପରେ ପରିବାରବର୍ଗଙ୍କ ସମ୍ମତିରେ ଏବଂ କାନୁନୀ ପ୍ରକ୍ରିୟା ପୂର୍ଣ୍ଣ କରିବା ପରେ ମୃତ ବ୍ୟକ୍ତିର ଶରୀରରୁ ଅଙ୍ଗ ବାହାର କରାଯାଏ । ଏଥିପାଇଁ ଶରୀରକୁ ଗୋଟିଏ ଲମ୍ବାରେ ଚିରାଯାଏ । ଅଙ୍ଗ ବାହାର କରିବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ସମ୍ମାନର ସହ ରଖାଯାଏ । ଅଙ୍ଗ ଗ୍ରହଣ କରାଯାଇ ସାରିବା ପରେ ଏହାକୁ ସଫା କରି ପରିଜନଙ୍କୁ ଅର୍ପଣ କରାଯାଏ । ଏହି ପ୍ରକ୍ରିୟାରେ ପ୍ରାୟ ୬-୭ଘଣ୍ଟା ଲାଗିଯାଏ । ଅର୍ଗାନ୍ ଡୋନେସନ୍ ଆକ୍ଟ, ୧୯୯୪ର ନିୟମ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ । ଏହା ଏକ କଷ୍ଟକର ନିୟମ । ଏହାଦ୍ୱାରା ଦୂରଦୂରାନ୍ତରେ ଥିବା ଲୋକମାନେ ଅଙ୍ଗଦାନ କରି ମହତ୍ କାର୍ଯ୍ୟରୁ ବଞ୍ଚôତ ହୁଅନ୍ତି । ଏହି ସମସ୍ୟାକୁ ଦେଖି ସରକାର ୨୦୧୧ ମସିହାରେ ଏ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଅନୁଯାୟୀ କୌଣସି ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ନଥିଲେ ବି ସେଠାରେ ଆଇସିୟୁ ଥିଲେ ଅଙ୍ଗଦାନ କରିହେବ । ଏହା ଲାଗୁ ହେବା ପରେ ଅଙ୍ଗଦାନ ଆଉ ଦ୍ରୁତ ଓ ସୁବିଧାଜନକ ହେବ । ବର୍ତ୍ତମାନ ଅଙ୍ଗଦାନ ସହ ଜଡ଼ିତ ଆଇନ କଷ୍ଟକର ଥିବାରୁ ବର୍ଷରେ ମାତ୍ର ୫୦-୬୦ଜଣ ବ୍ୟକ୍ତିହିଁ ଅଙ୍ଗଦାନ କରିପାରୁଛନ୍ତି । ଡାକ୍ତର ଏସବୁ ଅଙ୍ଗକୁ ଶୀଘ୍ର ଏପରି ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରିଦିଅନ୍ତି ଯାହାଙ୍କୁ ଏହାର ଆବଶ୍ୟକତା ଥାଏ । ଡାକ୍ତରଖାନା ପାଖରେ ଅର୍ଗାନ୍ ଡୋନେସନ୍ର ଏକ ୱେଟିଙ୍ଗ ଲିଷ୍ଟ ଥାଏ । ଅଙ୍ଗ ପ୍ରତ୍ୟାରୋପଣ ପାଇଁ ବ୍ଲଡ଼ ଗ୍ରୁପ୍ ମେଳକ ଓ ଅନ୍ୟ କେତେକ ଟେଷ୍ଟ କରାଯାଏ । ଯକୃତ କଢ଼ାଯିବାର ୬ଘଣ୍ଟା ମଧ୍ୟରେ ପ୍ରତ୍ୟାରୋପିତ ହେବା ଆବଶ୍ୟକ । ବୃକକ୍ ୧୨ ଘଣ୍ଟା ମଧ୍ୟରେ ଓ ଆଖି ୩ ଦିନ ମଧ୍ୟରେ ଲଗାଇ ଦିଆଯିବା ଆବଶ୍ୟକ । ଦାତାଙ୍କ ଶରୀରରୁ କଢ଼ାଯାଇଥିବା ଅଙ୍ଗ ଯେତେ ଶୀଘ୍ର ପ୍ରତ୍ୟାରୋପଣ କରାଯାଏ ତାର କାମ କରିବା କ୍ଷମତା ଓ ସମ୍ଭାବନା ସେତେ ଅଧିକ ହୋଇଯାଏ । ନିଜ ମୃତୁ୍ୟ ପରେ ଚକ୍ଷୁଦାନ କରିବା ସମ୍ପର୍କରେ ନିଷ୍ପତ୍ତି ଯେ କୌଣସି ବ୍ୟକ୍ତି ନେଇପାରିବେ, ଏହାର କୌଣସି ସର୍ବୋଚ୍ଚ ବୟସ ସୀମା ନାହିଁ । ଜୀବିତ ବ୍ୟକ୍ତି ଆଖିଦାନ କରିପାରିବେ ନାହିଁ । ଆଖିରେ ସମସ୍ୟା ଥିଲେ, ମଧୁମେହ ରୋଗୀ ହୋଇଥିଲେ ବି ଜଣେ ଚକ୍ଷୁଦାନ କରିପାରିବ । ଏପରିକି ଅପ୍ଟିକାଲ ନର୍ଭ ସମସ୍ୟା ଯୋଗୁଁ ଦୃଷ୍ଟିହୀନ ହୋଇଥିବା ବ୍ୟକ୍ତିଙ୍କର ସୁସ୍ଥ କନିନିକା (କର୍ଣ୍ଣିଆ) ମଧ୍ୟ ଦାନ କରାଯାଇପାରିବ ।
ଆପଣ ଯେଉଁ ଅଙ୍ଗଦାନ କରିବାକୁ ଚାହୁଁଛନ୍ତି ସେଥିପାଇଁ ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ କରିପାରିବେ । ଏହାପରେ ଆପଣଙ୍କୁ ଏକ ଡୋନ୍ର କାର୍ଡ଼ ମିଳିବ । ଯଦି ଆପଣ ଏ ସମ୍ପର୍କରେ ନିଜ ପରିଜନଙ୍କୁ ନଜଣାନ୍ତି, ତେବେ ଏହାର କୌଣସି ମୂଲ୍ୟ ରହିବ ନାହିଁ । କାରଣ ଆପଣଙ୍କ ମୃତୁ୍ୟ ପରେ ସେମାନେ ହିଁ ଔପଚାରିକ ଭାବେ ଏହାକୁ ଦାନ କରିବେ । ପରିଜନ ଚାହିଁଲେ ଆପଣ ଫର୍ମ ପୂରଣ କରିନଥିଲେ ବି ଅଙ୍ଗଦାନ କରିପାରିବେ । ଆଖି ବ୍ୟତୀତ ଅନ୍ୟ କୌଣସି ଅଙ୍ଗ ଦାନ କରିବା ପାଇଁ କାହାକୁ ଯୋଗାଯୋଗ କରିବାକୁ ହୁଏନି । କାରଣ କେବଳ ବ୍ରେନ୍ ଡେଥ୍ ଘୋଷିତ ହେବା ପରେ ଡାକ୍ତରମାନେ ଲାଇଫ୍ ସର୍ପୋଟ ସିଷ୍ଟମରେ ରଖିଲେ ହିଁ ଅନ୍ୟ ଅଙ୍ଗ ଦାନ ହୋଇପାରିବ । ଅଙ୍ଗଦାନ କରିବା ପାଇଁ ପରିଜନଙ୍କୁ କୌଣସି ଖର୍ଚ୍ଚ କରିବାକୁ ହୁଏ ନାହିଁ । ଜୀବିତ ବ୍ୟକ୍ତି ଅଙ୍ଗଦାନ କରିବା ପ୍ରକ୍ରିୟାରେ ଆଇନଗତ ପ୍ରତିବନ୍ଧକ ଅଛି । ପରିସ୍ଥିତିର ସମ୍ପୂର୍ଣ୍ଣ ଆକଳନ ପରେ ହିଁ ଏପରି କରିବା ସମ୍ଭବ । ଆମ ଦେଶରେ "ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍ ହୁ୍ୟମାନ ଅର୍ଗାନ୍ ଆକ୍ଟ-୧୯୯୪' ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ହୁଏ । କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ । ଯେଉଁ ବ୍ୟକ୍ତିଠାରେ ପ୍ରତ୍ୟାରୋପଣ ହେବ କେବଳ ତାର ପରିବାର, ପରିଜନ ଓ ନିକଟତମ ସମ୍ପର୍କୀୟମାନେ ହିଁ ଅଙ୍ଗଦାନ କରିପାରିବେ । ଏହାର ସମ୍ପୂର୍ଣ୍ଣ ଯାଞ୍ଚ ହୁଏ । ଏମାନଙ୍କ ମଧ୍ୟରେ ମାତା-ପିତା, ପତି-ପତ୍ନୀ, ସନ୍ତାନ-ସନ୍ତିତ, ଭାଇ-ଭଉଣୀ ଆଦି ସାମିଲ । ଏମାନଙ୍କୁ ପ୍ରଲୋଭନ ଦେଇ ପ୍ରତ୍ୟାରୋପଣ ପାଇଁ ଅଙ୍ଗଦାନ କରାଇବା ମଧ୍ୟ ବେଆଇନ ।
ମୋ: ୯୪୩୭୦୫୧୯୫୭