ଜୈବିକ ଚାଉଳରେ ହେବ ମହାପ୍ରସାଦ!
ଭୁବନେଶ୍ୱର,: ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ହେବ । ଏଥିପାଇଁ ଆରମ୍ଭ ହେବ ‘ଅମୃତ ଅନ୍ନ’ ନାମକ ଏକ ସ୍ୱତନ୍ତ୍ର ପ୍ରକଳ୍ପ । ଏନେଇ ଏକ ପରାମର୍ଶ ବୈଠକ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମହାପ୍ରସାଦରେ ଜୈବିକ ଚାଉଳର ବ୍ୟବହାର ନେଇ ଆଲୋଚନା ହୋଇଛି ।
ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ମହାପ୍ରସାଦରେ ଜୈବିକ ଚାଉଳ ଏବଂ ପନିପରିବାର ବ୍ୟବହାର ନିଷ୍ପତ୍ତିକୁ ସୁଆର- ମହାସୁଆର ନିଯୋଗ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ସର୍ବଦା ଜୈବିକ କୃଷିକୁ ସମର୍ଥନ ଦେଇ ଆସିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ଏହି ଜୈବିକ ଚାଉଳର ବ୍ୟବହାର କରାଯିବ । ଏଥିସହ ଶ୍ରୀଗୁଣ୍ଡିଚା ସମୟରେ ସମ୍ପୂର୍ଣ୍ଣ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବା ପାଇଁ ପ୍ରସ୍ତାବ ରହିଛି । ‘ଅମୃତ ଅନ୍ନ’ ନାମରେ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ । ଏଥିପାଇଁ ଆନନ୍ଦବଜାରରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବାର ପ୍ରସ୍ତାବ ରହିଛି ।
ପ୍ରାରମ୍ଭିକ ଭାବେ ରାଜ୍ୟରେ ଉତ୍ପାଦିତ ହେଉଥିବା କଳା ଜିରା, ପିମ୍ପୁଡିବାସ, ଯୁବରାଜ ଆଦି ଜୈବିକ ଚାଉଳ ଦେଶୀୟ ପ୍ରଜାତିର ଜୈବିକ ଧାନ ଏହି ‘ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହୃତ ହେବ । ଏଥିମଧ୍ୟରୁ କଳାଜିରା ଧାନ ଜିଆଇ ଟ୍ୟାଗ ପାଇସାରିଛି । ଚଳିତ ବର୍ଷ କୋରାପୁଟର ୧୩୬୫ ଏକର ଜମିରେ କଳା ଜିରା ଚାଉଳ ଚାଷ ହୋଇଛି ଏବଂ କୋଟପାଡଠାରେ ପ୍ରଥମ ଥର ପାଇଁ କଳା ଜିରା ଧାନର ମଣ୍ଡି ଖୋଲାଯାଇଛି । ଜୈବିକ କୃଷିକୁ ପ୍ରୋସôାହନ ଦେବା ପାଇଁ ଅର୍ଗାନିକ୍ ସାର୍ଟିଫିକେସନ୍, ସବ୍ସିଡ ଆଦିର ପ୍ରସ୍ତାବ ରହିଛି । ଏଥିସହ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ)ମାନଙ୍କୁ କ୍ଲଷ୍ଟର ଆପ୍ରୋଚ ମାଧ୍ୟମରେ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋସôାହନ ଦିଆଯିବ ଏବଂ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଏକ ପରିଚାଳନା କମିଟି ଗଠନ କରାଯିବ । ସେହି କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ପ୍ରତିନିଧିଙ୍କ ସମେତ ଅନ୍ୟ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ରୁ ୨୦୦ ଏକର ଜମିରେ ଜୈବିକ ଚାଉଳ ଉତ୍ପାଦନର ଲକ୍ଷ୍ୟ ରହିଛି । ବିହନ ସଂରକ୍ଷଣ କରାଯାଇ ପରବର୍ତ୍ତୀ ସମୟରେ ଅଧିକ ଜୈବିକ ଧାନ ଉତ୍ପାଦନକୁ ପ୍ରୋସôାହନ ଦିଆଯିବ ଏବଂ ସଂପୂର୍ଣ୍ଣ ‘ଅମୃତ ଅନ୍ନ’ ମହାପ୍ରସାଦରେ ଜୈବିକ ଶସ୍ୟ ବ୍ୟବହାର କରାଯିବ । ଜୈବିକ ପଦ୍ଧତିରେ ଉତ୍ପାଦନବେଳେ ଗୋମୂତ୍ର, ଗୋବର, ବୀଜାମୃତ ତଥା ଅନ୍ୟ ଜୈବିକ ଖତର ବ୍ୟବହାର ରାଜ୍ୟରେ ଗୋବଂଶର ସୁରକ୍ଷା ଓ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ।
ଆଜିର ବୈଠକରେ କୃଷି ନିଦେ୍ର୍ଦଶକ ପ୍ରେମଚନ୍ଦ୍ର ଚୌଧୁରୀ, ଓୟୁଏଟିର ଡିନ୍ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, କମାଣ୍ଡର ସୁଧାକର ପଟ୍ଟନାୟକ, ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର ଓ ସଂପାଦକ ନାରାୟଣ ମହାସୁଆର, ବରିଷ୍ଠ ସେବାୟତ ବୈଦ୍ୟନାଥ ମହାସୁଆର, ବିଭିନ୍ନ ଜୈବିକ ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି, ରାଜେନ୍ଦ୍ର ଦେଶୀ ଧାନ ଗବେଷଣା ପ୍ରତିଷ୍ଠାନର ନଟବର ଷଡଙ୍ଗୀ, କୋରାପୁଟ ପ୍ରଗତି ଅନୁଷ୍ଠାନର ପ୍ରଭାକର ଅଧିକାରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।