ଗୁଜୁରାଟରେ ‘କୁଳପତି ସମ୍ମିଳନୀ’ ଉଦ୍ଘାଟିତ :୨୦୩୫ ସୁଦ୍ଧା ଉଚ୍ଚଶିକ୍ଷାରେ ୫୦% ନାମଲେଖା ବୃଦ୍ଧି ଲକ୍ଷ୍ୟ

 କେଭାଡିଆ : ୨୦୩୫ ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାକୁ ୫୦ ପ୍ରତିଶତ  ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ଏଥିପାଇଁ ପାଠ୍ୟକ୍ରମକୁ ନୂଆ ରୂପ ଦେବା ସହ ଏକ ବ୍ୟବସ୍ଥିତ ଡିଜିଟାଲ ବ୍ୟବସ୍ଥା ତିଆରି କରିବା ପାଇଁ ପଡ଼ିବ । ଅଧ୍ୟାପକମାନଙ୍କୁ ତାଲିମ ସହିତ ବିବିଧ ପଦ୍ଧତିକୁ ପ୍ରୋସôାହିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ । ଗୁରୁବାର ଗୁଜୁରାଟର କେଭାଡିଆରେ ଅନୁଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇ ଦିନିଆ କୁଳପତି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ସେ କହିଛନ୍ତି ବିଗତ ଦଶନ୍ଧିରେ ଭାରତର ଉଚ୍ଚଶିକ୍ଷା ପରିସଂସ୍ଥାନ ଏକ ମୌଳିକ ପରିବର୍ତ୍ତନ ଦେଇ ଗତି କରିଛି । ଆମର ପଦକ୍ଷେପ ଶିକ୍ଷାନୁଷ୍ଠାନଗୁଡ଼ିକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ବହୁମୁଖୀ କରିବା ସହ ନବସୃଜନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଫଳସ୍ୱରୂପ ଦେଶରେ ମୋଟ ଛାତ୍ରଛାତ୍ରୀଙ୍କ ନାମଲେଖା ୪.୪୬ କୋଟିକୁ ଛୁଇଁଛି । ୨୦୧୪-୧୫ ପରଠାରୁ ନାମଲେଖାରେ ୩୦% ବୃଦ୍ଧି ହୋଇଥିବା ବେଳେ ମହିଳାଙ୍କ ନାମଲେଖା ୩୮%କୁ ବୃଦ୍ଧି ପାଇଛି । ମହିଳାଙ୍କ ନାମଲେଖା ବର୍ତ୍ତମାନ ପୁରୁଷ ଅପେକ୍ଷା ଅଧିକ ରହିଛି ।  ଏହା ସମାବେଶୀ ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି । ସକାରାତ୍ମକ ନୀତିଗତ ପଦକ୍ଷେପ ଫଳସ୍ୱରୂପ ୧୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ୪୬,୦୦୦ ରୁ ଅଧିକ କଲେଜ ସ୍ଥାପନା ହୋଇଛି ଯାହା ଭାରତକୁ ବିଶ୍ୱସ୍ତରରେ ସର୍ବବୃହତ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ କରିଛି । ଶ୍ରୀ ପ୍ରଧାନ କୁଳପତିମାନଙ୍କୁ ଶିକ୍ଷାଗତ ତ୍ରିବେଣୀ ସଙ୍ଗମର ଉଦେ୍ଦଶ୍ୟଗୁଡ଼ିକୁ ନିମ୍ନଲିଖିତ ଉଦେ୍ଦଶ୍ୟ ମାଧ୍ୟମରେ କାର୍ଯ୍ୟକାରି କରିବା ପାଇଁ ପରିବର୍ତ୍ତନ ଆଣିବାକୁ ଆହ୍ୱାନ କରିଥିଲେ । ଏହା ଅତୀତର ବିଷୟବସ୍ତୁକୁ ବୁଝିବା ସହ ବର୍ତ୍ତମାନକୁ ଉନ୍ମୋଚିତ କରିବ ତଥା ସମସାମୟିକ ଢାଞ୍ଚାରେ ଭବିଷ୍ୟତକୁ ଉନ୍ମୋଚିତ କରିବା ଦିଗରେ ପଦକ୍ଷେପକୁ ସୁନିଶ୍ଚିତ କରିବ । ଆମର ରାଷ୍ଟ୍ରୀୟ ଶକ୍ତି ହେଉଛନ୍ତି ଯୁବବର୍ଗ, ଜାତୀୟ ଶିକ୍ଷା ନୀତିରେ ସେମାନଙ୍କୁ ପ୍ରୋସôାହିତ କରିବା ପାଇଁ ଆମେ ବଦ୍ଧ ପରିକର । ବିଶ୍ୱବିଦ୍ୟାଳୟଗୁଡ଼ିକୁ "ଛାତ୍ରଛାତ୍ରୀ-ପ୍ରଥମେ’ ପଦ୍ଧତି ଅନୁସରଣ କରିବାକୁ ହେବ ବୋଲି କହିଥିଲେ ।