ସାଢେ ୪ଲକ୍ଷ କୋଟି ନିବେଶ ପ୍ରତିଶ୍ରୁତି
ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀର ପ୍ରଥମ ଦିନରେ ୫୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ମାଧ୍ୟମରେ ୪ରୁ ୪.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ । ଏହି ସଂଖ୍ୟା ଆଉ ୨-୩ଘଣ୍ଟା ମଧ୍ୟରେ ୮୦କୁ ଛୁଇଁବ । ଏପର୍ଯ୍ୟନ୍ତ ଆଦାନୀ ଗ୍ରୁପ ସହିତ ବଡ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଗ୍ରୁପ୍ ସହିତ ୨.୨୮ ଲକ୍ଷ କୋଟି ଟଙ୍କାର ଏମ୍ଓୟୁ ହୋଇଛି । ସେମାନେ ଓଡିଶାରେ ସିମେଣ୍ଟ, ଆଲୁମିନା, ସ୍ମେଲଟର, ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ପାର୍କରେ ଏହି ଅର୍ଥ ନିବେଶ କରିବେ ବୋଲି ସେ କହିଛନ୍ତି । ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍ର ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏଏସ୍ଡବ୍ଲୁ୍ୟ ଏମ୍ଓୟୁ କରିଛି । ରାଜ୍ୟ ସରକାର ବିର୍ଲା ଗ୍ରୁପ ସହିତ ଏକ ନୂଆ ଏମ୍ଓୟୁ କରିଛନ୍ତି । ବିର୍ଲା ଗ୍ରୁପ୍ ରାଜ୍ୟରେ କପର ଫଏଲ ପ୍ଲାଣ୍ଟ୍ ସ୍ଥାପନ ପାଇଁ ଏମଓୟୁ କରିଛି । ଏପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ୱ ଇଣ୍ଟେଣ୍ଟ ଆସିଛି ।
ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି ଯେ, ଆଗାମୀ ୬ବର୍ଷ ମଧ୍ୟରେ ଅନୁଗୁଳ ପ୍ଲାଂଟ ସମ୍ପ୍ରସାରଣରେ ଆଉ ୭୦ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିପରି ଜେଏସଡବ୍ଲୁ୍ୟ ଗ୍ରୁପ୍ ପୋସ୍କୋ ସହ ମିଶି କେନ୍ଦୁଝରରେ ୩୫ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ କାରଖାନା କରିବା ପାଇଁ ଚୁକ୍ତିବଦ୍ଧ ହୋଇଛି । ଜେଏସଡ୍ଲୁ୍ୟ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଲକ୍ଷ୍ୟ ରଖିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଆଉ ୭୦ହଜାର କୋଟି ଟଙ୍କା ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ କ୍ଷେତ୍ରରେ ନିବେଶ କରିବ । ବେଦାନ୍ତ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରେ ରାୟଗଡାରେ ନିଜର ଏକ ବୃହତ୍ କାରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ଗୋପାଳପୁରଠାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆବାଡା ଗ୍ରୁପ୍ ୨୦ହଜାର କୋଟି ଟଙ୍କା ନିବେଶ କରିବାର ପ୍ରତିଶ୍ରୁତି ଦେଇଛି । ବିର୍ଲା ଗ୍ରୁପ୍ ଆଗାମୀ ଦିନରେ ଓଡିଶାରେ ଆଲୁମିନା ଓ ସ୍ମେଲଟର କ୍ଷେତ୍ରରେ ୫୦ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛି ।
କେନ୍ଦୁଝରରେ କରାଯିବ ଇସ୍ପାତ କାରଖାନା । ଏନେଇ ସୂଚନା ଦେଇ ଜେଏସଡବ୍ଲୁ୍ୟ ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି, ପୋସ୍କୋ ସହ ଏନେଇ ଆଲୋଚନା ଚାଲିଛି ଓ ୩୦ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି । ପାରାଦୀପରେ ୧୨ ନିୟୁତ ଟନ୍ ଷ୍ଟିଲ୍ ପ୍ଲାଣ୍ଟ କାମ ଚାଲିଛି । ଝାରସୁଗୁଡାରେ ବିପିଏସ୍ଏଲ୍କୁ ପରିବର୍ଦ୍ଧିତ କରାଯିବ । ୫ ବର୍ଷରେ ଓଡିଶାରେ ୧ ଲକ୍ଷ କୋଟି କୋଟି ନିବେଶ ଲକ୍ଷ୍ୟ ରଖାଯାଇଛି । ସେହିପରି ଏହି ଅବସରରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ କହିଛନ୍ତି, ରାୟଗଡାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ପ୍ଲାଣ୍ଟ କରାଯିବ । ଆବାଡା ଗ୍ରୁପ୍ ମୁଖ୍ୟ ଭିନୀତ ମିତ୍ତଲ କହିଛନ୍ତି, ଗୋପାଳପୁରରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ୍ । ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ୍ । ପାରାଦୀପରେ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ ମଧ୍ୟ କରିବ । ସେହିପରି ଉକôର୍ଷ ଓଡିଶାରେ ଆଇଓସିଏଲ୍ ପକ୍ଷରୁ ୭୦ ହଜାର କୋଟିର ପୁଞ୍ଜି ନିବେଶ କରାଯିବ । ଏନେଇ ସୂଚନା ଦେଇ ଆଇଓସିଏଲ୍ ଚେୟାରମ୍ୟାନ୍ ଅରବିନ୍ଦର ସିଂ ସାହାନୀ କହିଛନ୍ତି, ୫୦ ହଜାର କୋଟି ନିବେଶ କରାଯାଇଛି, ଆଉ ୭୦ ହଜାର କୋଟି ନିବେଶ କରାଯିବ । ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ୍ସରେ ବିନିଯୋଗ କରାଯିବ ।