ପଞ୍ଚାୟତରେ ବ୍ୟବହାର ହେବ ଏଆଇ : ଲିପିବଦ୍ଧ ହେବ ଗ୍ରାମସଭା ବିବରଣୀ
ଭୁବନେଶ୍ୱର: ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି । ଗ୍ରାମ ସଭା କିମ୍ବା ଅନ୍ୟ ପଞ୍ଚାୟତ ବୈଠକର ଅଡିଓ ଓ ଭିଡିଓ ରେକର୍ଡିଂରୁ ସ୍ୱୟଂଚାଳିତ ଭାବେ ବୈଠକ ବିବରଣୀ ପ୍ରସ୍ତୁତ କରିବା ଲାଗି ଏହାକୁ ଡିଜାଇନ କରାଯାଇଛି ।
ଆସନ୍ତାକାଲି ଗୁରୁବାର ଦିନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି.ସିଂହ ବାଘେଲ ଉପସ୍ଥିତିରେ ଏହି ଉପକରଣର ଶୁଭାରମ୍ଭ କରାଯିବ । ସଭାସାର କଥିତ ଆଲୋଚନାକୁ ଲିପିବଦ୍ଧ କରିବା, ମୁଖ୍ୟ ନିଷ୍ପତ୍ତି ଓ କାର୍ଯ୍ୟ ବିନ୍ଦୁଗୁଡ଼ିକୁ ଚିହ୍ନଟ କରିବା ଏବଂ ଭଲ ଭାବରେ ପ୍ରସ୍ତୁତ ହୋଇଥିବା ବୈଠକ ବିବରଣୀ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଏଆଇ ଓ ନେଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ (ଏନଏଲପି) ପ୍ରଯୁକ୍ତି ବ୍ୟବହାର କରେ । ଭାରତ ସରକାରଙ୍କ ଜାତୀୟ ଭାଷା ଅନୁବାଦ ମିଶନ, ‘ଭାଷିନୀ’ ସହିତ ସମନ୍ୱିତ ଏହି ଉପକରଣ ବର୍ତ୍ତମାନ ୧୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଏହା ଭାଷାଗତ ପୃଷ୍ଠଭୂମିରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଇଁ ସମାବେଶୀତା ଏବଂ ସୁଗମତା ସୁନିଶ୍ଚିତ କରେ । ଆଗାମୀ ଦିନରେ ସମର୍ଥିତ ଭାଷା ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ୧୫ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭା ପାଇଁ ବୈଠକର ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ସଭାସାର ଟୁଲ୍ ବା ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି । ପ୍ରଥମ ପଦକ୍ଷେପ ସ୍ୱରୂପ ତ୍ରିପୁରାର ସମସ୍ତ ୧୧୯୪ ଗ୍ରାମ ପଞ୍ଚାୟତ (ପାରମ୍ପରିକ ସ୍ଥାନୀୟ ସଂସ୍ଥା ସମେତ) ଏହି ସ୍ୱତନ୍ତ୍ର ଗ୍ରାମସଭାର ବିବରଣୀ ପ୍ରସ୍ତୁତ କରିବା ଲାଗି ଏହି ଉପକରଣ ବ୍ୟବହାର କରିବେ । ଏହା ପଞ୍ଚାୟତଗୁଡ଼ିକର କାମକୁ ସହଜ କରିବା ସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ଏହି ଉପକରଣକୁ ଅଧିକ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିବ ।
ଏହି ପଦକ୍ଷେପ ସମାବେଶୀ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ପ୍ରଶାସନରେ ଦକ୍ଷତା ବୃଦ୍ଧିକରିବା ପାଇଁ ଡିଜିଟାଲ୍ ନବସୃଜନକୁ ଉପଯୋଗ କରିବା କ୍ଷେତ୍ରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ସଭାସାର ମାନୁଆଲ୍ ଡକୁ୍ୟମେଣ୍ଟେସନ୍ ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ । ଏତଦବ୍ୟତୀତ ସ୍ୱଚ୍ଛତା ଓ ଦାୟିତ୍ୱ ସୁନିଶ୍ଚିତ କରିବା ସହିତ ଶାସନ ଓ ସେବା ପ୍ରଦାନ ଉପରେ ଧ୍ୟାନ ଦେବାକୁ ପଞ୍ଚାୟତ ଅଧିକାରୀମାନଙ୍କୁ ସକ୍ଷମ କରିବ ।