ସଂସ୍କୃତି ଓ ସାହିତ୍ୟ


   ପ୍ରତ୍ୟେକ ଜାତିର ନିଜସ୍ୱ ସଂସ୍କୃତି ଓ ସଭ୍ୟତା ରହିଛି । ସଂସ୍କୃତି ଓ ସଭ୍ୟତା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ । ଜୀବ ଜଗତରେ ମଣିଷର କେବଳ ସଂସ୍କୃତି ରହିଛି । ଗୋଷ୍ଠୀବଦ୍ଧ ମଣିଷର, ସମୂହ ମଣିଷର, ଜାତୀୟ ଜୀବନର ସଂସ୍କୃତି ରହିଥାଏ । କୌଣସି ବ୍ୟକ୍ତିର ସଂସ୍କୃତି ତାର ବ୍ୟକ୍ତିତ୍ୱର ପ୍ରତଫଳନ ମାତ୍ର । ଠିକ ସେହିପରି ସମାଜ ଏବଂ ରାଷ୍ଟ୍ରର ମଧ୍ୟ ସଂସ୍କୃତି ଗୋଟିଏ ବଡ ପରିଚୟ । ଗୋଷ୍ଠୀଚ୍ୟୁତ ବା ସମାଜଚ୍ୟୁତ ହୋଇ ଏକାକୀ ମଣିଷ କେବେ କେଉଁ କାଳେ ସଂସ୍କୃତି ନିର୍ମାଣ କରିନାହିଁ । ସଂସ୍କୃତିର ଆଭିଧାନିକ ଅର୍ଥ ହେଲା- ସମ୍ – କୃ – ତି; ଅର୍ଥାତ, ଜ୍ଞାନଗତ ଉକ୍ରର୍ଷ ଶିକ୍ଷା ଦ୍ୱାରା ବା ଚର୍ଚ୍ଚା ଦ୍ୱାରା ଲବ୍ଧ ବିଦ୍ୟା- ବୁଦ୍ଧି- ଶିଳ୍ପକଳା-ରୁଚି-ନୀତି ଆଦିର ଶ୍ରେଷ୍ଠତା । ନୃତାତ୍ତ୍ୱିକ ବିଚାର ଦୃଷ୍ଟିରୁ ସଂସ୍କୃତି ହେଉଛି ମାନବ ସମାଜର ପରମ୍ପରା । ଯାହା ଭାଷା ମାଧ୍ୟମରେ ବଂଶ ଓ ପରମ୍ପରା କ୍ରମେ ଯୁଗ ଯୁଗ ଧରି ପ୍ରସାରିତ ହେଉଥାଏ । ଗୋଟିଏ ଜାତିର ସଂସ୍କୃତି ସହ ସେହି ଜାତିର ଭାଷା ମଧ୍ୟରେ ନିବିଡ ସମ୍ପର୍କ ରହିଛି । ସାମାଜିକ ଭାଷାବିଜ୍ଞାନୀମାନେ ତେଣୁ ଗୋଟିଏ ଜାତିର ଭାଷା ବିଶ୍ଳେଷଣ ମଧ୍ୟରୁ ସାଂସ୍କୃତିକ ଉପାଦାନ ମାନ ଖୋଜି ତାହା କିପରି ସାଂସ୍କୃତିକ ପରିଚିତି ନିର୍ମାଣରେ ସହାୟକ, ତାହା ଦର୍ଶାଇ ଦିଅନ୍ତି । 
ଏକ ବୃହତ ଦୃଷ୍ଟିକୋଣରୁ ସଂସ୍କୃତିକୁ ବିଚାର କରାଯାଇ ସମଗ୍ର ମାନବ ସମାଜର ସଂସ୍କୃତି, ମଧ୍ୟଯୁଗୀୟ ସଂସ୍କୃତି, ପ୍ରାଚୀନ ଯୁଗୀୟ ସଂସ୍କୃତି ନାମରେ ଅଭିହିତ । ସଂସ୍କୃତି ହେଉଛି ଗୋଟିଏ ଜାତିର ନଜସ୍ୱ ପରିଚୟ । ଏହା ମନୁଷ୍ୟର ଅସ୍ଥି ମଜ୍ଜାରେ ମିଶି ରହିଛି । ଏହା ଏକ ପ୍ରକାର ପ୍ରବୃତ୍ତି ଓ ଜିଜ୍ଞାସା । ବ୍ୟକ୍ତି ନିଜର ପରିଚୟ ଯେମିତି ଖୋଜେ ଓ ଖୋଜିବା ଯେମିତି ଏକ ପ୍ରବୃତ୍ତି, ସେହିପରି ଗୋଷ୍ଠୀ ବା ଜାତୀୟ ଜୀବନର ପରିଚୟ ଜିଜ୍ଞାସା ଏକ ସମୂହ ବା ଗୋଷ୍ଠୀଗତ ଚେତନା ମଧ୍ୟ । 
 ସାହିତ୍ୟର ଅଧ୍ୟୟନ ଓ ସଂସ୍କୃତିର ଅଧ୍ୟୟନ ମଧ୍ୟରେ ସମ୍ପର୍କ ରହିଛି । ସାଂସ୍କୃତିକ ଅଧ୍ୟୟନର କ୍ଷେତ୍ର ବଡ ବ୍ୟାପକ । ସାମ୍ପ୍ରତିକ କାଳରେ ଓଡିଶାର ବିବିଧ ଗୋଷ୍ଠୀ ବିଭିନ୍ନ ମତାବଲମ୍ବୀ ଓ ନାନା ରାଜନୈତିକ ଆଦର୍ଶର ବିଶ୍ୱାସୀ ଲୋକମାନେ ବସବାସ କରୁଛନ୍ତି । ସେତେବେଳେ ସାଂସ୍କୃତିକ ଅଧ୍ୟୟନ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଓ ଜାତିର ସାହିତ୍ୟକୁ ଏକ ସାଂସ୍କୃତିକ ସାଧନ ଭାବରେ ବିଚାର କରେ । ଫଳରେ ସାହିତ୍ୟରେ ନୂତନ ପ୍ରାଣ ଶକ୍ତିର ସଂଚାର ଘଟେ । ସାହିତ୍ୟ ଓ ମଣିଷର ଜୀବନ ପ୍ରବାହ ଗୋଟିଏ ସୂତ୍ରରେ ବନ୍ଧା ।  ସଂସ୍କୃତି ଏକ ଅଖଣ୍ଡ ଅବିଭାଜିତ ସତ୍ତା ଦେଇ ଖୁବ ପ୍ରାଚୀନ କାଳରୁ ଏଯାବତ ତିଷ୍ଠି ରହିଛି । ବେଦ, ଉପନିଷଦରେ ବର୍ଣ୍ଣିତ ତତ୍ତ୍ୱ ଓ ଆଦର୍ଶର ପ୍ରବାହ ଏ ପର୍ଯ୍ୟନ୍ତ ଓଡିଆଙ୍କ ଜନମାନସକୁ ପୂତ ଓ ପବିତ୍ର କରୁଛି ଏବଂ କାଳ କାଳ କରିଚାଲିଥିବ । ଭାରତୀୟ ସଂସ୍କୃତି ବେଦ ଉପନିଷଦ ଯୁଗୀୟ ସଂସ୍କୃତି । ଉକ୍ରଳୀୟ ସଂସ୍କୃତି ହିଁ ‘ଜଗନ୍ନାଥ ସଂସ୍କୃତି’ । ଏହିଭଳି ଏକ ଧାରଣା ଆମ ମନ ମଧ୍ୟରେ ବଳବତ୍ତର ରହିଛି । 
ସଂସ୍କୃତିର ପ୍ରତିଫଳନ ସେହି ଜାତିର ସାହିତ୍ୟ କ୍ଷେତ୍ରରେ ମଧ୍ୟ ବଳବତ୍ତର । ଯେପରି ଓଡିଆ ନାଟକ । ଭାରତୀୟ ସାଂସ୍କୃତିକ ଘଟାନ୍ତର ଓ ସମାଜ ବ୍ୟବସ୍ଥାର ପଟ୍ଟ ପରିବର୍ତ୍ତନ, ଓଡିଆ ନାଟକ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଛି । ପ୍ରଥମ ଓଡିଆ ଆଧୁନିକ ନାଟକ ‘ବାବାଜୀ’ ଠାରୁ ଆରମ୍ବ କରି ବର୍ତ୍ତମାନ ପର୍ଯ୍ୟନ୍ତ ରଚିତ  ନାଟକ ଗୁଡିକ ପରମ୍ପରାର ପରିବର୍ତ୍ତନ କ୍ରମେ ସଂସ୍କୃତିର ରୂପାନ୍ତରକୁ ଚିହ୍ନଟ କରିଛି ।  ଉନଂବିଶ ଶତକର ମଧ୍ୟଭାଗକୁ ଏକ ମୋଡ ପରିବର୍ତ୍ତନର କାଳ ଭାବରେ ଧରିନେବାକୁ ହେବ । ଏହାକୁ ‘ରେନେସାଁ’ କୁହାଗଲା । ସାହିତ୍ୟ ଓ ସଂସ୍କୃତି ଭିତରେ କୌଣସି କ୍ରାନ୍ତିକୁ ସାମାଜିକ ରାଜନୈତିିକ ବିଧି ବ୍ୟବସ୍ଥା ଓ ଅର୍ଥନୈତିକ ପଟ୍ଟ ପରିବର୍ତ୍ତନର ଦୁର୍ଲ୍ଲଙ୍ଘନୀୟ ପରିଚିତି ବୋଲି ବିଚାରିବାକୁ ହେବ । ୧୪୯୮ ମସିହାକ୍ଷହ ଭାସ୍କୋଡାଗାମା ନାମକ ଜଣେ ସାହସୀ ପର୍ତ୍ତୁଗୀଜ ନାବିକ ଉତ୍ତମାଖା ଅନ୍ତରୀପ ଦେଇ ଆଫ୍ରିକାର ପୂର୍ବ ଉପକୂଳ ଯାଏ ନୌଯାତ୍ରା କରିଥିଲେ । ସେଠାରୁ  ଜଣେ ଆରବୀୟ ନାବିକଙ୍କ ସାହାଯ୍ୟରେ ଭାରତ ମହାସାଗରରେ ନୌଚାଳନା କରି ଦକ୍ଷିଣ ଭାରତରେ ବାଲିକଟ ବନ୍ଦରରେ ପହଞ୍ଚôଥିଲେ । ସେଠାରେ ରାଜାଙ୍କ ଠାରୁ ଅନୁମତି ନେଇ ବାଣିଜ୍ୟ କଲେ । ପ୍ରମାଣ ମିଳେ ଯେ, ରେନେସାଁ କାଳର ପ୍ରଖ୍ୟାତ ଲେଖକ କାଓମାଏନ୍ସ ଯେ କି,  ଲୁସିଆଡସ (୧୫୮୦)  ନାମକ ମହାକାବ୍ୟ ରଚନା କରିଥିଲେ ।  ସେ ଭାରତବର୍ଷର ପର୍ତ୍ତୁଗୀଜ ବାଣିଜ୍ୟ କେନ୍ଦ୍ର ଗୁଡିକ ସମେତ ଗୋଆରେ ସତରବର୍ଷ କାଳ କଟାଇଥିଲେ । ପୁଣି ସପ୍ତଦଶ ଶତକରେ ଭାରତର ମୋଗଲ ବାଦଶା ଜାହାଙ୍ଗୀରଙ୍କ ସମୟରେ ଇଂଲଣ୍ଡର ରାଜା ଜେମ୍ସ ସାର ଟମାସ୍ ରୋଙ୍କୁ ଭାରତ ପଠାଇଥିଲେ । ଟମାସ ରୋ,  ଜାହାଙ୍ଗୀରଙ୍କୁ ସାକ୍ଷାତ କରି ଭାରତରେ କେତେକ ବାଣିଜ୍ୟ ସୁବିଧା ହାସଲ କରିଥିଲେ । ପାଶ୍ଚାତ୍ୟ ଜଗତ ସହ ଭାରତର ଏ ଯୋଗସୂତ୍ର ଥିଲା ସମ୍ପୂର୍ଣ୍ଣ ବାଣିିଜି୍ୟକ । ହେଲେ ମୋଗଲ ଆଫଗାନ ମାନଙ୍କର କଳା ଓ ସଂସ୍କୃତି ସହ ଭାରତୀୟ ମାନଙ୍କର କଳା ସଂସ୍କୃତିର ଆଦାନ ପ୍ରଦାନ ଏହି କାଳରେ ଆମେ ଦେଖିଥାଉ ।ଭାରତବର୍ଷର ସମଗ୍ର ଉନବିଂଶ ଶତାବ୍ଦୀର ରାଜନୈତିକ ପ୍ରେକ୍ଷାପଟ, ସାମାଜିକ ବିବର୍ତ୍ତନର ଲମ୍ବା ଇତି÷ହାସ ଆଲୋଚନା କରାଗଲେ ଦେଖାଯିବ ଯେ, ଇଂରେଜମାନେ ଶିକ୍ଷା ସଂସ୍କୃତିର ପ୍ରସାର ଓ ସଂସ୍କାର କ୍ଷେତ୍ରରେ ଭାରତୀୟ ମାନଙ୍କ ପାଇଁ ଶୁଭାର୍ଶୀବାଦ ବହନ କରିଛନ୍ତି । ନବଜାଗରଣର ଏହି ତରଙ୍ଗ ଫଳରେ ସ୍ପନ୍ଦିତ ହୋଇଛି ଭାରତବର୍ଷ । 
  ଛତିଆ, ଯାଜପୁର
 ମୋ-୯୪୩୭୯୫୭୬୧୭