ଅଗଷ୍ଟ ୧୦ରୁ ଫାଇଲେରିଆ ନିରାକରଣ ଔଷଧ ସେବନ


 ବାରିପଦା/ସାରସକଣା, : ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ୱର ନିରାକରଣ ପାଇଁ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶଙ୍କ ସଂଯୋଜନାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ୱୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ଏହି ସମନ୍ୱୟ କମିଟି ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ କିପରି ଫାଇଲେରିଆ ନିଦାନ ପାଇଁ ପଦକ୍ଷେପ ସବୁ ନିଆଯାଉଛି ଏବଂ ପ୍ରତ୍ୟେକ ସର୍ବକ୍ଷଣ ତଥ୍ୟକୁ କିଭଳି ଉପଯୋଗୀତାର ସହିତ ସମ୍ପାଦନା କରଯାଉଛି ସେ ବିଷୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଦାଶ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏଥିସହିତ ଜିଲ୍ଲାରେ ଚଳିତ ବର୍ଷ କିଭଳି ଭାବରେ ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟା ଆରମ୍ଭ ହେବ ସେ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାରେ ହୋଇଥିବା ସର୍ବକ୍ଷଣ ତଥ୍ୟକୁ ଆଧାର କରି ଡଃ ଦାଶ କହିଥିଲେ, ମୁଖ୍ୟତଃ ବହଳଦା, ତିରିଂ, ତାଟ, ବାଦାମପାହାଡ଼, ବିଜାତଳା, ଜାମଦା ଓ ବ୍ଲକରେ ଫାଇଲେରିଆ ସଂକ୍ରମଣ ମାତ୍ରାଧିକ ଥିବା ବେଳେ ଏହି ସ୍ଥାନମାନଙ୍କରେ କିଭଳି ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶ୍ରୀ ସିନ୍ଧ ଏହି ସମସ୍ତ ପ୍ରକ୍ରିୟାକୁ ଯଥୋଚିତ ଜନାଦୃତ କରାଇବା ପାଇଁ ଏବଂ ସମସ୍ତ ଅଧିକାରୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ବିଷୟରେ ଅବଗତ କରାଇଥିଲେ । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଥି ସହିତ ସମ୍ପ୍ରଦାୟ ସଚେତନତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଶାନ୍ତନୁ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଆଇଏଏସ୍ ପ୍ରୋବେସନର ଅଶନୀ ଏଏଲ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପ ବ୍ୟବସ୍ଥାପକ ପ୍ରଭୁ ପ୍ରତ୍ୟନ୍ତ ପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।