ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଶିକିରି-ହିଞ୍ଜିଳି ରାଜ୍ୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ତିନି ଜଣଙ୍କ ସଂଘବଦ୍ଧ ଭାବେ ଫିଲ୍ମ ଷ୍ଟାଇଲରେ ଖଣ୍ଡାରେ ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ହେଲେ ଭଞ୍ଜନଗର ଖଲାସି ସାହିର ରବୀନ୍ଦ୍ର ପ୍ରଧାନ । ଅନୈତିକ ସମ୍ପର୍କ ସନେ୍ଦହରେି ତାଙ୍କ ଉପରେ ଆକ୍ରମଣ ହୋଇଥିବା ରବୀନ୍ଦ୍ର କହିଛନ୍ତି  । ଅନ୍ୟପଟେ ବିବାହିତା ମହିଳାଙ୍କୁ ପ୍ରେମ ପାଇଁ ହଇରାଣ ଯୋଗୁ ଏପରି ହୋଇଥିବା ଆଲୋଚନା ହେଉଛି । ଗୁରୁତର ରବୀନ୍ଦ୍ର ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି । ଆକ୍ରମଣ ଅଭିଯୋଗରେ ହିଞ୍ଜିଳି ପୋଲିସ ଭଞ୍ଜନଗର ଥାନା ଅଞ୍ଚଳର ସରୋଜ ଆପଟ ଓ ତାଙ୍କର ପନôୀଙ୍କୁ ଥାନାରେ ରଖି ପଚରାଉଚରା କରୁଛି ।
ସୂଚନା ଅନୁଯାୟୀ ସରୋଜ ଓ ରବୀନ୍ଦ୍ର ଉଭୟ ସୁରତରେ କାମ କରୁଛନ୍ତି । ସରୋଜଙ୍କ ପରିବାର ସହ ରବୀନ୍ଦ୍ରଙ୍କ ସମ୍ପର୍କ ସୃଷ୍ଟି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଛି । ଗୁରୁବାର ସରୋଜ ଓ ତାଙ୍କ କିଛି ସମ୍ପର୍କୀୟ କୌଶଳକ୍ରମେ ରବୀନ୍ଦ୍ରଙ୍କୁ ଭଞ୍ଜନଗରରୁ ଡ଼କାଇଥିଲେ । ରବିନ୍ଦ୍ର ନିଜ ବାଇକ  ଓଆର୦୭ଏମ ୯୮୧୪ ଯୋଗେ ଆସିବା ସମୟରେ ତାଙ୍କୁ ନେଇ ହିଞ୍ଜିଳି - ଶିକିରି ରାଜ୍ୟ ରାଜପଥ ଉପରେ ହଠାତ୍  ସଂଘବଦ୍ଧ ଭାବେ ୩ ଜଣ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଲୋକେ ରବିନ୍ଦ୍ରଙ୍କୁ ବିଲ୍ ଭିତରକୁ ନେଇଯାଇଥିଲେ  । ଖଣ୍ଡାଚୋଟରେ  ରବୀନ୍ଦ୍ରଙ୍କ ହାତରେ ଆଘାତ ସୃଷ୍ଟି ହୋଇଛି । ଘଟଣା ସ୍ଥଳରୁ ୨ ଜଣ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ପହଞ୍ଚି ସରୋଜଙ୍କୁ ଧରି ଥାନାକୁ ନେଇଛି ।  ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଖବର ଲେଖା ସୁଦ୍ଧା କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।