ପ୍ରତାପ ଦେବଙ୍କ ଘରେ ସିକ୍ରେଟ ମିଟିଂ

ପ୍ରତାପ  ଦେବଙ୍କ ଘରେ ସିକ୍ରେଟ ମିଟିଂ

ଭୁବନେଶ୍ୱର : ବିଜେଡିରେ ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ ଦେବଙ୍କ ବାସ ଭବନରେ ବସିଛି ବଡ଼ ବୈଠକ । ଏଠାରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ବିଜେଡି ପକ୍ଷରୁ ମିଳିପାରିନାହିଁ । ବୁଧବାର ଅପରାହ୍ନରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ଦଳର ବହୁ ବରିଷ୍ଠ ନେତା ଏକାଠି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର ପ୍ରମୁଖ ନେତା ଉପସ୍ଥିତ ଅଛନ୍ତି। ସୂଚନାନୁୁସାରେ, ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିଷୟ ନେଇ ଘମାଘୋଟ ଆଲୋଚନା ଚାଲିଛି। ଏହା ପୂର୍ବରୁ ବିଜେଡିର ବରିଷ୍ଠ ନେତାମାନେ ଏକ ହୋଟେଲରେ ମଧ୍ୟ ବୈଠକ କରିଥିଲେ। ପ୍ରତାପ ଦେବଙ୍କ ଘରେ ହୋଇଥିବା ଏହି ଦ୍ୱିତୀୟ ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଆଗାମୀ ରାଜନୈତିକ ରଣନୀତି ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ଆଦି ବିଷୟ ଉପରେ ଏହି ଆଲୋଚନା କେନ୍ଦ୍ରିତ ହୋଇଥିବା ଜଣାପଡ଼ିଛି। ଏହି ବୈଠକ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ, କିନ୍ତୁ ଏହା ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆଣିପାରେ ବୋଲି ଅନୁମାନ କରାଯାଉଛି।