ଶିଳାନ୍ୟାସ ଫଳକରେ ଅଟକିଛି : ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ

 ଖଣ୍ଡପଡ଼ା  : ରାଜ୍ୟରେ ସରକାର ପରିବର୍ତ୍ତନ ସହ ଖଣ୍ଡପଡ଼ା ରାଜନୀତିରେ ବି ପରିବର୍ତ୍ତନ ଆସିଛି । ଦିର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ଶାସନରୁ ଚାଲିଯିବା ପରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ କେବଳ ବିଧାୟକଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଏବେ ଫଳକ ରାଜନୀତି ଚାଲିଥିବା ପରିଲକ୍ଷିତ ହେଉଛି । ଖଣ୍ଡପଡ଼ା ସହରର ୧୨ନଂ ୱାର୍ଡସ୍ଥିତ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଏପ୍ରିଲ ୩୦ ତାରିଖରେ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଦ୍ୱାରା ଶିଳାନ୍ୟାସ ଉସôବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଇତି ମଧ୍ୟରେ ୩ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବଳ ଫଳକରେ ସୀମିତ ଥିବା ଜଣାପଡିଛି । ଅପରପକ୍ଷେ ଖଣ୍ଡପଡ଼ା ସହରର ଡାକ୍ତରଖାନା ଛକସ୍ଥିତ ୨ଟି କ୍ୟାବିନ ଗୃହରେ ଆହାର କେନ୍ଦ୍ରଟି ପ୍ରଥମରୁ ଅତି ଦୟନୀୟ ସ୍ଥିତିରେ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆହାର କେନ୍ଦ୍ର ପରିସରରେ ସ୍ଥାନ ଅଭାବରୁ ଭୋଜନ ଖାଇବା ନିମନ୍ତେ ଜନସାଧାରଣ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଆହାର କେନ୍ଦ୍ର ନିର୍ମାଣ ସହ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।