ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ବୈଠକ : ବଳକା ଶସ୍ୟର ସୁରକ୍ଷା ଆମର ପ୍ରାଥମିକତା

 ଭୁବନେଶ୍ୱର : ଆଜି ଲୋକସେବା ଭବନରେ ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରି କୃଷି ଏକ ଅବିରତ ପ୍ରୟାସ । ଏହା ବର୍ଷସାରା ଲୋକଙ୍କୁ ଦାନା ଯୋଗାଇ ଦେବା ସହ ରୋଜଗାରର ସ୍ରୋତ ଯୋଗାଇ ଥାଏ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ସହ ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ଏହାର ସୁଦୀର୍ଘ ବେଳାଭୂମି ଏବଂ ସାମୁଦ୍ରିକ ପରିବହନ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । 
କେଭି ସିଂହଦେଓ ଆହୁରି କହିଥିଲେ ଯେ, ପୂର୍ବରୁ ଖାଦ୍ୟ ନିଅଣ୍ଟିଆ ରାଜ୍ୟ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି । ବର୍ତ୍ତମାନ ଏହାର ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି ମଧ୍ୟ ହେଲାଣି । ବିଦେଶରେ ଓଡ଼ିଶାର ସୁବାସିତ ଚାଉଳ ଓ ପନିପରିବାର ଚାହିଦା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । କୃଷକଙ୍କୁ ପର୍ଯ୍ୟାପ୍ତ ବଜାର ସୁବିଧା ସହ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ବଳକା ଶସ୍ୟର ସୁରକ୍ଷା ଆମର ପ୍ରାଥମିକତା । ଏହାକୁ ଧ୍ୟେୟ କରି ରାଜ୍ୟର ପ୍ରତ୍ୟେକ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବା ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଏକ କମ୍ପାନୀ ତରଫରୁ ପ୍ରସ୍ତାବ ମଧ୍ୟ ଉପସ୍ଥାପନ ହୋଇଥିଲା ।