ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ବୈଠକ
ନୀଳଗିରି : ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାର୍କ୍ସବାଦୀ) ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୀଳଗିରିରେ ହାତୀ ମୃତୁ୍ୟ ଘଟଣାକୁ ନେଇ ବିଜେପି ଓ ବିଜେଡ଼ି ଭିତରେ ଯେଉଁ ଆରୋପ ପ୍ରତ୍ୟାରୋପ ଚାଲିଛି ସେ ସମ୍ପର୍କରେ ସିପିଆଇଏମ ବୈଠକରେ ଘୋର ଉଦ୍ବେଗ ପ୍ରକାଶ ପ୍ରକାଶ କରାଯାଇଛି । ବିଧାୟକଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଅପରାଧି ଗିରଫ୍ ହେବା ଏବଂ ବିଧାୟକ ତାଙ୍କ ଫାର୍ମ ହାଉସ ପରିସରରେ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ସହ ସ୍କୁଲ ଜମିକୁ ଦଖଲ କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ । ଏହା ସହିତ ନୀଳଗିରି ବିଧାୟକ ଜଣେ ନାରୀ ନେତ୍ରୀଙ୍କ ପ୍ରତି ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ,ତାହାକୁ ସିପିଆଇ (ଏମ) ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏତଦ୍ବ୍ୟତୀତ ଆସନ୍ତା ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆଜି ବୈଠକରେ ଯୋଜନା କରାଯିବା ସହିତ ଉକ୍ତ ଧର୍ମଘଟରେ ଜନ ସାଧାରଣ ସାମିଲ ହେବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି । ଉକ୍ତ ବୈଠକରେ ରାଜ୍ୟ କମିଟି ସଭ୍ୟ ସିତାଂଶୁ ସେନାପତି, ନିର୍ମଳ ନାୟକ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର, ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ଜିଲ୍ଲା କମିଟି ସଭ୍ୟ ସତ୍ୟଜିତ ଦାସ, ହେମେନ୍ଦ୍ର ସେଠୀ, ଅମରେନ୍ଦ୍ର ନାୟକ, ମନୋରଞ୍ଜନ ସାହୁ, କାଳିଆ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।