ଆରଆଇ ଅଫିସ ସ୍ଥାନାନ୍ତରଣକୁ ନେଇ ରାସ୍ତା ରୋକ

ଜଟଣୀ : ଜଟଣୀ ତହସିଲ ଏରିଆ ଅନ୍ତର୍ଗତ କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ବୁଧବାର ତେଜିଛି ଜନ ଆନେ୍ଦାଳନ ଓ ରାସ୍ତାରୋକ  । ସୂଚନା ମୁତାବକ ଜଟଣୀ ତହସିଲ ଏରିଆ ଅଧୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ପରିବର୍ତ୍ତନ ହୋଇଯାଇଥିବା କୁଦିଆରୀ ମୌଜା ଏକ ବୃହତ ଭୂଖଣ୍ଡ ଅଞ୍ଚଳ ହୋଇଥିବା ବେଳେ ଏହି ମୌଜାର ପ୍ରାୟ ସମସ୍ତ ଅଞ୍ଚଳ ପୌରାଞ୍ଚଳ ଇଲାକାର ବାରରୁ ଅଧିକ ୱାର୍ଡକୁ ନେଇ ଅନେକ ପୂର୍ବରୁ ଗଠିତ ହୋଇଛି  । ତେବେ ଦୀର୍ଘଦିନ ହେବ ବାଛରା ପାଟଣା ଅଞ୍ଚଳରେ ଗୋଟିଏ ପରିସୀମା ମଧ୍ୟରେ ଜଟଣୀ ଆରଆଇ ଓ  କୁଦିଆରୀ  ଆରଆଇ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉଛି  । ତେବେ ମୂଳ ମୌଜା ଠାରୁ ଏହି କାର୍ଯ୍ୟାଳୟ ଦୁର ତଥା ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଏଥିମଧ୍ୟରେ କିଛିି କୁଚକ୍ରୀ ଗୋଷ୍ଠୀ ଓ ନେତା ପ୍ରଶାସନିକ ଅଧିକାରୀଙ୍କୁ ହାତକରି ରଥିପୁର ଗ୍ରାମରେ ଆରଆଇ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ଅସନ୍ତୋଷ ଦେଖାଦେଇଥିଲା  । ଏହାକୁ ବିରୋଧ କରି ମେଳଣ କମିଟି ସଭାପତି ସୁଦର୍ଶନ ସୁନ୍ଦରାୟଙ୍କ ନେତୃତ୍ୱରେ କାଉନସିଲର ଶଶାଙ୍କ ଶେଖର ରାୟ, ଲୁସେନ ରାୟ, କୈଳାସ ଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ବଳିଆରସିଂହଙ୍କ ସମେତ କୁଦିଆରୀ ଗ୍ରାମର ମେଳଣ ପରିଚାଳନା କମିଟିର ସଦସ୍ୟ ମାନେ ଏହାକୁ ବିରୋଧ କରି ତହସିଲଦାର ଜଟଣୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ଦେଇ ଏହାକୁ ତୁରନ୍ତ ବନ୍ଦ କରି କରିବା ସହିତ ଆରଆଇ ଅଫିସକୁ କୁଦିଆରୀରେ ନିର୍ମାଣ କରାଯାଉ ବୋଲି ଦାବି ଜଣାଇଥିଲେ  ।  ଯୋଜନା ମୁତାବକ ବୁଧବାର ପ୍ରତୁ୍ୟଷରୁ ରାସ୍ତା ରୋକ କରାଯାଇଥିଲା  । ଫଳରେ ଦୀର୍ଘ ୨ ଘଣ୍ଟା ଧରି ଜଟଣୀ, ପିପିଲି ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକିବା ଫଳରେ ବହୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ  । ଜଟିଳ ସମସ୍ୟା ଉପୁଜିବା ପରେ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ, ସ୍ଥାନୀୟ ତହସିଲ ଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ ଏକ ମାସ ସମୟର ପ୍ରତିଶୃତି ପରେ ଧାରଣାକାରି ଧାରଣାରୁ ଓହରି ଥିଲେ  ।