ପଟ୍ଟାମୁଣ୍ଡାଇ ଶାନ୍ତ କମିଟି ବୈଠକ : ସଂଯମତା ରକ୍ଷା ପାଇଁ ପ୍ରଶାସନର ଅନୁରୋଧ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ଦୁଇ ପକ୍ଷଙ୍କୁ ନେଇ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ପକ୍ଷଙ୍କୁ ସଂଯମତା ଆଚରଣ ରକ୍ଷା କରିବା ସହ ସହରରେ ଭାଇଚାରା ବଜାଇ ରଖିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ପରାମର୍ଶ ଦେଇଛନ୍ତି । ଆଜି ଶାନ୍ତି କମିଟି ବୈଠକରେ ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିଥିଲେ । ପଟ୍ଟାମୁଣ୍ଡାଇରେ କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶାନ୍ତି କମିଟି ବୈଠକରେ ଯୋଗ ଦେଇଥିବା କର୍ମକର୍ତ୍ତା ମାନେ ଅଭିଯୋଗ ଆଣିଥିଲେ । ବୈଠକରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ କେନ୍ଦ୍ରାପଡ଼ା ଅତିରିକ୍ତ ଏସପି ସୁଧାକର ସାହୁ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରାଧକ୍ଷ ହେମନ୍ତ କୁମାର ସାହୁ, ଏସଡିପିଓ କ୍ଷମା ସାଗର ପଣ୍ଡା, ମଡେଲ ଥାନା ଆଇଆଇସି ବନ୍ଦନା ପାତ୍ର, ପୌରନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେଇ ପଟ୍ଟାମୁଣ୍ଡାଇ ସହରରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ଅଧ୍ୟାପକ ଡ.ନୀଳମଣି ଲେଙ୍କା, ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋପୀନାଥ ତ୍ରିପାଠୀ, ସମସର ଖାନ, ଶେକ ମଦନ, ଅବଦୁଲ ବାରି, ଜାକିର ହୁସେନ ପ୍ରମୁଖ ଯୋଗ ଦେଇ ପ୍ରଶାସନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।