ଜିଲ୍ଲା ସଭାପତି ଚୟନ ନେଇ କଂଗ୍ରେସର ବୈଠକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଭାପତି ଖୋଜୁଛି କଂଗ୍ରେସ । ସାରା ରାଜ୍ୟରେ କଂଗ୍ରେସ ତରଫରୁ ନିଜ ଦଳ ପାଇଁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ, ଦଳ ତରଫରୁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ସମସ୍ତ ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରୁଛନ୍ତି । ଏ କ୍ରମରେ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ତେଲେଙ୍ଗାନା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଜେ. କୁସୁମ କୁମାର ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କଂଗ୍ରେସ କର୍ମୀଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରୁଛନ୍ତି । ପ୍ରତ୍ୟେକ କର୍ମୀଙ୍କ ସହିତ ଆଲୋଚନା କରି ଜିଲ୍ଲା ପାଇଁ ଉପଯୁକ୍ତ ସଭାପତି ଦେବା ପାଇଁ ମାନସ ମନ୍ଥନ କରୁଛନ୍ତି । ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜେ କୁସୁମ କୁମାର । ସଭାପତି ପାଇଁ ଆଶାୟୀ ଥିବା ନେତା ମାନେ ପର୍ଯ୍ୟବେକ୍ଷକଙ୍କ ଠାରୁ ନାମାଙ୍କନପତ୍ର ନେବେ ଏବଂ କର୍ମୀଙ୍କ ସହିତ ଆଲୋଚନା ପରେ ପ୍ରତ୍ୟେକ ଜିଲ୍ଲାରୁ ଉପଯୁକ୍ତ ଥିବା ୬ ଜଣଙ୍କ ପ୍ରାର୍ଥୀପତ୍ର ରିପୋର୍ଟ ଆସନ୍ତା ୧୬ ତାରିଖ ଦିନ ହାଇକମାଣ୍ଡଙ୍କୁ ପ୍ରଦାନ କରାଯିବ ଯେଉଁ ପ୍ରାର୍ଥୀପତ୍ର ମଧ୍ୟରୁ ଜଣେ ମହିଳା ପ୍ରାର୍ଥୀ ଥିବା ଅନିବାର୍ଯ୍ୟ ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ । ସମସ୍ତ କର୍ମୀଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁଥିବା ନେତାଙ୍କୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଭାବେ ଚୟନ କରାଯିବ ବୋଲି ସେ କହିଛନ୍ତି ।