କଂଗ୍ରେସର ଜିଲ୍ଲା ସଭାପତି ମନୋନୟନ ପ୍ରକ୍ରିୟା ଆରମ୍ଭ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ମନୋନୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । ସ୍ଥାନୀୟ ସରଳା ଦେବୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସିର ପର୍ଯ୍ୟବେକ୍ଷକ ଏମ ଲିଜୁ ଉପସ୍ଥିତ ରହି ସଂଗଠନ ଶ୍ରୀଜନ ଅଭିଯାନ ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଏଆଇସିସି ସଭାପତି ମଲ୍ଲୀକାର୍ଜୁନ ଖାଡଗେଙ୍କ ନିଦେ୍ର୍ଧଶ କ୍ରମେ ଦଳ ପକ୍ଷରୁ ସଂଗଠନ ଶ୍ରୀଜନ ଅଭିଯାନ ମାଧ୍ୟମରେ ଜିଲ୍ଲା ସଭାପତି ମନୋନୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ପୂର୍ବତନ ବ୍ଲକ ଓ ମୁନିସିପାଲିଟି ଅଧକ୍ଷ, ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ଜିଲ୍ଲା କଂଗ୍ରେସ ଓ ବିଭିନ୍ନ ସାମ୍ମୁଖ୍ୟ ର ବର୍ତ୍ତମାନ ଓ ପୂର୍ବତନ କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି, ସାମାଜିକ ସଂଗଠନ ର ପ୍ରତିନିଧି, ସିଭିଲ ସୋସାଇଟିର ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ବରିଷ୍ଠ ଓ ତୃଣମୂଳ ସ୍ତରର କର୍ମୀ ମାନଙ୍କର ମତାମତକୁ ନିଆଯାଇ ଜିଲ୍ଲା କଂଗ୍ରେସ ସଭାପତି ମନୋନୟନ କରାଯିବ ବୋଲି ଏଆଇସିସି ପର୍ଯ୍ୟବେକ୍ଷକ ମତବ୍ୟକ୍ତ କରିଥିଲେ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ "ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା କର୍ମୀ ଓ ନେତା’ଙ୍କ ନାମକୁ ଜିଲ୍ଲା ସଭାପତି ପଦ ପାଇଁ ବିଚାରକୁ ନିଆ ଯିବ ନାହିଁ । ଜିଲ୍ଲା ସଂଯୋଜକ ନଟବର ବାରିକଙ୍କ ସଂଯୋଜନାରେ ଆୟୋଜିତ ଜିଲ୍ଲା କଂଗ୍ରେସ କର୍ମୀ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ରାଜକିଶୋର ବାରିକ, ପିସିସି ଉପସଭାପତି ଡା ଲଲାଟେନ୍ଦୁ ମହାପାତ୍ର, ଏରସମା ବାଲିକୁଦା ପ୍ରାର୍ଥୀ ନଳିନୀ କୁମାର ସ୍ୱାଇଁ, ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରତିମା ମଲ୍ଲିକ ଓ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।