ମେମୁ ଟ୍ରେନର କ୍ଷମତା ବୃଦ୍ଧି
 ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ମାନେସରଠାରେ ଥିବା ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡଠାରେ ଦେଶରେ ବୃହତ୍ତମ ଅଟୋମୋବାଇଲ ଗତି ଶକ୍ତି ମଲଟି-ମୋଡାଲ କାର୍ଗୋଟର୍ମିନାଲର ଉଦଘାଟନ କରିଛନ୍ତି  ।  ମାନେସରରେ ଥିବା ପ୍ଲାଣ୍ଟଟି ପାଟଲି ରେଳ ଷ୍ଟେସନ ସହିତ ୧୦ କିଲୋମିଟର ଡେଡିକେଟେଡ୍ ରେଳ ଲିଙ୍କ୍ ମାଧ୍ୟମରେ ସଂଯୁକ୍ତ, ଯାହା ହରିୟାଣା ରେଳ ଭିତ୍ତିଭୂମି ବିକାଶ ନିଗମ (ଏଚଆରଆଇଡିସି) ଦ୍ୱାରା ବିକଶିତ ୧୨୧.୭ କିଲୋମିଟର ଲମ୍ବ ହରିୟାଣା ଅର୍ବିଟାଲ୍ ରେଳ କରିଡରର ଏକ ଅଂଶ । ଏହି ସମାବେଶକୁ ସମ୍ବୋଧିତ କରି ରେଳମନ୍ତ୍ରୀ ଗତ ଦଶନ୍ଧିରେ ଭାରତୀୟ ରେଳବାଇରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, "୨୦୧୪ ପୂର୍ବରୁ, ରେଳବାଇର ବାର୍ଷିକ ବଜେଟ୍ ପ୍ରାୟ ୨୪,୦୦୦ ରୁ ୨୫,୦୦୦ କୋଟି ଟଙ୍କା ଥିଲା, ଏବେ ଏହା ୨.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଅନେକ ଷ୍ଟେସନ ଏବଂ କୋଚରେ ଶୌଚାଳୟ ଭଳି ମୌଳିକ ଯାତ୍ରୀ ସୁବିଧାର ଅଭାବ ଥିଲା । ଗତ ଅଢେଇ ବର୍ଷ ମଧ୍ୟରେ, ସାଧାରଣ କୋଚ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଗତ ବର୍ଷ ହିଁ ୧୨୦୦ରୁ ଅଧିକ ସାଧାରଣ କୋଚ ଯୋଡାଯାଇଛି ।"
ବର୍ତ୍ତମାନ ୧୦୦ ରୁ ଅଧିକ ମେମୁ ଟ୍ରେନର କ୍ଷମତା ବୃଦ୍ଧି କରାଯିବ ସେଗୁଡ଼ିକରେ ଥିବା କୋଚ ସଂଖ୍ୟା ୮ରୁ ୧୨ରୁ ବୃଦ୍ଧି କରି ୧୬ ରୁ ୨୦ କୋଚ କରାଯିବ ଯାହାକୁ କମ ଦୂରତା ଯାଉଥିବା ଯାତ୍ରୀମାନଙ୍କୁ ବହୁତ ଲାଭ ଦେବ । ୧୦୦ ରୁ ଅଧିକ ମେମୁ ଟ୍ରେନ୍ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶର କାଜିପେଟରେ ଏକ ନୂତନ କାରଖାନା ସ୍ଥାପନ କରାଯାଇଛି । ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇ ୨୦୨୩-୨୪ଆର୍ଥିକ ବର୍ଷରେ ପ୍ରାୟ ୭୨୦ କୋଟି ଯାତ୍ରୀ ଏବଂ ୧୬୧୭ ନିୟୁତ ଟନ୍ ମାଲ ପରିବହନ କରିଥିଲା । ଏହି କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି, ରାଜ୍ୟ ଶିଳ୍ପ ମନ୍ତ୍ରୀ ରାଓ ନରବୀର ସିଂହ, ବିଧାୟକ ମୁକେଶ ଶର୍ମା ଏବଂ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ସିଇଓ ଏବଂ ପରିଚାଳନା ନିଦେ୍ର୍ଦଶକ  ହିସାଶି ଟାକେଉଚି ପ୍ରମୁଖ ଉପସ୍ଥିତ ଥିଲେ ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
