ସୁନାହାର ଲୁଟ୍ ଘଟଣାରେ ପୁଲିସ ହାତ ଖାଲି!
ବୁଗୁଡା : ଗତ ମେ ୩୦ ତାରିଖ ଦିନ ପ୍ରାତଃଭ୍ରମଣରେ ଯାଇଥିବା ସ୍ଥାନୀୟ ଶକ୍ତିନଗରର ମହିଳା ସୁକାନ୍ତି ସାହୁଙ୍କ ବେକରୁ ୧୦ ଭରି ଓଜନର ଚେନ୍ ଓ ୩ ଭରି ଓଜନର ମଙ୍ଗଳସୂତ୍ର ଲୁଟ୍ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣାର ୧୯ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅପରାଧୀକୁ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ ସାଧାରଣରେ ପୁଲିସର ପାରିବା ପଣିଆକୁ ସ୍ଥାନୀୟ ଲୋକେ ପ୍ରଶ୍ନଉଠାଇଛନ୍ତି । ଏହି ଲୁଟ୍ ଘଟଣାରେ ଦୁଇ ଦୁର୍ବୃତ୍ତ ବାଇକରେ ଷୋଳମଇଲି ଅଭିମୁଖେ ଦ୍ରୁତଗତିରେ ପଳାଇଥିଲେ ଏହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲେବି ପୁଲିସ ଏପଯøନ୍ତ ଅପରାଧୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ ଯାହାକି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପୁଲିସ କେସ୍ ନଂ୩୫୩/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ ହେଁ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନଥିବା ଜଣାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଉଠାଇ ଆଣି ଘନ ଘନ ଜେରା କରିଥିଲେ ମଧ୍ୟ ଫଳ ଶୂନ ମିଳିଛି । ଏଣୁ ,ପୁଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।