ମିଟର ରେଣ୍ଟ ଛାଡ : ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସମୀର
ଭୁବନେଶ୍ୱର : ଏବେ ବିଜେପି ସରକାର ବିଦୁ୍ୟତ୍ ଦର ପୂର୍ବପରି ଅପରିବର୍ତିତ ରଖିବା ସହ ୨ କିଲୋୱାଟ୍ ପର୍ୟ୍ୟନ୍ତ ସ୍ମାର୍ଟ ମିଟରର ମାସିକ ରେଣ୍ଟ ଛାଡକରି ଉପଭୋକ୍ତା ପାଇଁ ଆଶ୍ୱସ୍ତି ଆଣି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ବିଦୁ୍ୟତ୍ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପୂର୍ବରୁ ସ୍ମାର୍ଟମିଟର ଲାଗି ମାସିକ ୬୦ ଟଙ୍କା ରେଣ୍ଟ ହିସାବରେ ଦେବାକୁ ପଡୁଥିଲା । ସରକାରଙ୍କ ନୂଆ ନିଷ୍ପତି ଫଳରେ ମିଟର ରେଣ୍ଟରୁ ଗ୍ରାହକ ଆଶ୍ୱସ୍ତି ପାଇବେ । ଏହା ଫଳରେ ଲୋକଙ୍କ ମାସିକ ବିଦୁ୍ୟତ୍ ଦେୟ ମଧ୍ୟ ହ୍ରାସ ପାଇବ । ଏହାଦ୍ୱାରା ରାଜ୍ୟର ଲକ୍ଷଲକ୍ଷ ବିଦୁ୍ୟତ୍ ଉପଭୋକ୍ତା ଲାଭବାନ ହେବେ । ନୂଆସ୍ମାର୍ଟ ମିଟର ଲଗାଇଲେ ବି ଏହି ରେଣ୍ଟ ଦେବାକୁ ପଡିବନି । ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସେହିଭଳି ମେସେଜ ଓ ଇମେଲ୍ରେ ଇ-ବିଲ୍ ନେଲେ ବିଲ୍ ପିଛା ୧୦ ଟଙ୍କା ଛାଡ ମିଳିବ । ପ୍ରିପେଡ୍ ମିଟରରେ ୪ ପ୍ରତିଶତ ରିହାତି ମିଳିବ । ଡିଜିଟାଲ୍ ପେମେଣ୍ଟରେ ପୂର୍ବ ଭଳି ୪ ପ୍ରତିଶତ ରିହାତି ମିଳିବ । ୧୦ କିଲୋୱାଟରୁ ଅଧିକ ଲୋଡ୍ ବ୍ୟବହାରକାରୀଙ୍କୁ ଦିନ ୮ଟାରୁ ଅପରାହ୍ନ ୪ଟା ଯାଏ ବିଜୁଳି ବିଲ୍ରେ ୨୦ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ବିଜୁଳି ଦର ଯାହାଥିଲା ଏବେ ତାହା ହିଁ ରହିବ । ଏଭଳି ବିଦୁ୍ୟତ୍ ସଂସ୍କାର ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଆଗକୁ ଆହୁରି ଉନ୍ନତମାନର ବିଦୁ୍ୟତ୍ ସେବା ଯୋଗାଇ ଦିଆଯିବ ।