ଭାରତର ' ମିଶନ ମୌସମ '

ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକିବା କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ।
ଏହି ପ୍ରୋଜେକ୍ଟର ନାମ 'ମିଶନ ମୌସମ' ରଖାଯାଇଛି, ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବୀଚନ୍ଦ୍ରନ କହିଛନ୍ତି।
ସେ କହିଛନ୍ତି, "କୃତ୍ରିମ ବୃଷ୍ଟିପାତ ହ୍ରାସ ଏବଂ ବୃଦ୍ଧି ପାଇଁ ଆମେ ପ୍ରାରମ୍ଭିକ ପରୀକ୍ଷା କରିବାକୁ ଚାହୁଁଛୁ। ଲ୍ୟାବ୍ ସିମୁଲେସନ୍ (କ୍ଲାଉଡ୍ ଚାମ୍ବର) ଆସନ୍ତା ଦେଢ଼ ବର୍ଷ ମଧ୍ୟରେ କରାଯିବ, କିନ୍ତୁ କୃତ୍ରିମ ପାଣିପାଗ ପରିବର୍ତ୍ତନ ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ। 'ମିଶନ ମୌସମ' ଅଧୀନରେ ବୈଜ୍ଞାନିକମାନେ ମଧ୍ୟ ଦେଶର ପାଣିପାଗ ପୂର୍ବାନୁମାନ ପ୍ରଣାଳୀରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବେ, ଯାହା ଦ୍ୱାରା ସ୍ୱଳ୍ପ ଏବଂ ମଧ୍ୟମ ବୃଷ୍ଟିପାତ ବାବଦରେ ପୂର୍ବାନୁମାନ ଆହୁରି ସଠିକ୍ ହୋଇପାରିବ।"