ସଫେଇ ତଦାରଖ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ସହରରେ ଦୀର୍ଦ୍ଧଦିନ ହେବ ବର୍ଷା ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି । ଏହି ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ମହାନାଳ ପୁନରୁଦ୍ଧାର ଯୋଜନା ସମ୍ପ୍ରତି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ବିଚାରଧିନ ରହିଛି । ତେବେ ଆସନ୍ତା ମୌସୁମୀ ବାୟୁ ପ୍ରବାହ ଜନିତ ବର୍ଷାଋତୁକୁ ଦୃଷ୍ଟିରେ ରଖି ଉଦବୃତ ବର୍ଷା ଜଳର ସୁଚାରୁ ରୂପେ ନିଷ୍କାସନ ପାଇଁ ସମସ୍ତ ମହାନାଳଗୁଡିକର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ବାଲେଶ୍ୱର ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକୁ ସହରର ବିଭିନ୍ନ ସ୍ଥାନରେ ପହଁଞ୍ଚି ତଦାରଖ କରିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ସହରର ଚିଡିଆପୋଲ ନିକଟରେ ମହାନାଳର ଅବସ୍ଥା ଦେଖିବା ସହ ସଠିକ୍ ଢଙ୍ଗରେ ସଫେଇ କାର୍ଯ୍ୟ ସାରିବାକୁ ପୌରପାଳିକା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରେ ୨୬ନଂ ୱାର୍ଡ ଅନ୍ତର୍ଗତ ସୁଏଲପୁରର ବ୍ରହ୍ମସମାଜ ମନ୍ଦିର ନିକଟ ଓ ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ମହାନାଳର ଜଳ ନିଷ୍କାସନ ବ୍ୟବସ୍ଥାର ସାମ୍ପ୍ରତିକ ଅବସ୍ଥା ଅନୁଧ୍ୟାନ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ କହିଥିଲେ ।
ମହାନାଳଗୁଡିକୁ ମେସିନ ସାହାର୍ଯ୍ୟରେ ସଫେଇ କରାଯାଉଥିବା ବେଳେ ଯେଉଁ ସ୍ଥାନରେ ମେସିନ ନ ପହଂଚିପାରୁଛି ସେଠାରେ ଅଧିକ ସଂଖ୍ୟକ ଶ୍ରମିକ ନିୟୋଜନ ସହ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ସାରିବାକୁ ବିଧାୟକ ଦତ୍ତ ପରାମର୍ଶ ଦେଇଥିଲେ । ତେବେ ପୋତି ହୋଇପଡିଥିବା ମହାନାଳର ଆବଶ୍ୟକସ୍ଥଳେ ଖନନ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ମହାନାଳ ସଙ୍କୁଚିତ ହୋଇଥିବା ସ୍ଥାନରେ ସଫେଇ ପାଇଁ ବ୍ୟକ୍ତିଗତ ମାଲିକାନାରେ ଥିବା ଜାଗା ମାଲିକଙ୍କ ସହ ଆଲୋଚନା କରିବା ଉପରେ ବିଧାୟକ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ବାଲେଶ୍ୱର ସହରର ଆଖପାଖ ଅଞ୍ଚଳ ଓ ସହର ମଧ୍ୟ ଦେଇ ଯାଉଥିବା ମୋଟ ୬ଗୋଟି ମହାନାଳର ସଂସ୍କାର ଯୋଜନା ପାଇଁ ସମ୍ପ୍ରତି ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ଏହା ଏବେ ରାଜ୍ୟ ସରକାରଙ୍କ ବିଚାରଧିନ ରହିଛି । ବିଭିନ୍ନ ସ୍ଥାନରେ ମହାନାଳ ଅବରୋଧ ହେବାକୁ ନେଇ ଦତ୍ତ ଉଦବେଗ ପ୍ରକାଶ ସହ ମହାନାଳ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଅବରୋଧ ହଟାଇବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ମହାନାଳ ସଂସ୍କାର ଯୋଜନା ଖୁବଶ୍ରୀଘ୍ର ସରକାରଙ୍କ ଅନୁମୋଦନ ଲାଭ କରିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ବାଲେଶ୍ୱର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତି ଓ ପୌରପାଳିକା ଯନ୍ତ୍ରୀ ସୀମାଂଚଳ ମିଶ୍ରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।