ବିଧାନସଭାରେ ଉଠିଲା ଶିକ୍ଷାର ବିକାଶ ପ୍ରସଙ୍ଗ

ବାଲେଶ୍ୱର: ଶିକ୍ଷା କ୍ଷେତ୍ରରେ ବିକାଶକୁ ପାଦେ ଆଗକୁ ନେବା ପାଇଁ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରୟାସ ତ୍ୱରାନ୍ୱିତ ହୋଇଛି  । ରାଜ୍ୟ ଅଗ୍ରଣୀ ତଥା ସର୍ବ-ପୁରାତନ ଶିକ୍ଷାନୁଷ୍ଠାନ ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଡିମ୍ଡ ବିଶ୍ୱବିଦ୍ୟାଳୟ ଓ କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟକୁ ସ୍ୱୟଂ ଶାସିତ ମାନ୍ୟତା ପ୍ରଦାନ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଧାନସଭାର ଶୂନ୍ୟକାଳରେ ଦାବି ଉପସ୍ଥାପନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛି । ଓଡିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀ କବି ଉକôଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ମହିଳା ମହାବିଦ୍ୟାଳୟ ଉଚ୍ଚଶିକ୍ଷାକୁ ଏକ ସ୍ୱତନ୍ତ୍ର ସ୍ତରରେ ପହଂଚାଇ ପାରିଛନ୍ତି । ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିବା ଫକୀର ମୋହନ ମହାବିଦ୍ୟାଳୟ ୧୯୯୯ ମସିହାରେ ସ୍ୱୟଂ ଶାସିତ ମାନ୍ୟତା ପାଇଥିଲା । ସମ୍ପ୍ରତି ବିଭିନ୍ନ ବିଷୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ପେଷାଦାର ବିଭାଗରେ ଶିକ୍ଷାଦାନ ଜାରି ରହିଛି । ସେହିପରି ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିବା କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟକୁ ୧୯୬୫ରେ ସରକାରୀ ମାନ୍ୟତା ଦେଇଥିଲେ । ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଳ୍ପ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ହାସଲରେ ଏହି ଦୁଇ ମହାବିଦ୍ୟାଳୟ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ଏକ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଅଭିଜ୍ଞ ତଥା ବୃତ୍ତିଗତ ଅଧ୍ୟାପନାମଣ୍ଡଳୀଙ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ଶିକ୍ଷା ମିଳିପାରୁଛି । ବାଲେଶ୍ୱର ଜିଲ୍ଲାରେ ଉଚ୍ଚ ଶିକ୍ଷାର ମାନକୁ ବହୁଗୁଣିତ କରିବା ତଥା ଅଗଣିତ ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଡିମ୍ଡ ବିଶ୍ୱବିଦ୍ୟାଳୟରେ ରୁପାନ୍ତରିତ ଓ କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟକୁ ସ୍ୱୟଂ ଶାସିତ ମାନ୍ୟତା ପ୍ରଦାନ ପାଇଁ ବିଧାୟକ ଶ୍ରୀ ଦତ୍ତ ଯୁକ୍ତି ଦର୍ଶାଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ଓ ଉଭୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଏହା ସହିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆୟୋଗ (ୟୁଜିସି) ପାଖକୁ ମଧ୍ୟ ଏହି ପ୍ରସ୍ତାବ ପଠାଯାଇଛି ବୋଲି ଶ୍ରୀ ଦତ୍ତ ବିଧାନସଭାରେ ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲାବାସୀଙ୍କ ଦାବି ପୂରଣରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।