ଆସିଲେନି କଂଗ୍ରେସ ଓ ବିଜେଡି ବିଧାୟକ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ନୂଆ ବିଧାୟକ ପାଇଁ ୨ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଶନିବାର ଉଦଘାଟିତ ହୋଇଯାଇଛି । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଦୁଇ ଦିନ ଚାଲିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ମନ୍ତ୍ରିପରିଷଦ ସଦସ୍ୟ ଓ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ଅଛନ୍ତି । ତେବେ କଂଗ୍ରେସ ଓ ବିଜେଡି ବିଧାୟକମାନେ କାର୍ଯ୍ୟକ୍ରମକୁ ଆସିନଥିବା ଜଣାଯାଇଛି । ଉଭୟ ଦଳର ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି ।
ବିଧାନସଭା ପରମ୍ପରାକୁ ଭାଙ୍ଗି ଦଳୀୟ ଭିତ୍ତିରେ କାର୍ୟ୍ୟକ୍ରମ କରାଯାଉଥିବାରୁ ଏହାକୁ ବିରୋଧ କରି ଦୁଇ ବିରୋଧୀ ଦଳ ଅଂଶଗ୍ରହଣ ନକରିବାକୁ ନେଇଛନ୍ତି ନିଷ୍ପତ୍ତି । ବିଧାନସଭାର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଉଲ୍ଲଘଂନ କରାଯାଇ ମର୍ୟ୍ୟାଦା ଭଙ୍ଗ କରାଯାଇଛି । ଦିଗଦର୍ଶନ କାର୍ୟ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି । ଅନ୍ୟପଟେ ଏ ପ୍ରସଙ୍ଗରେ ଶାସକ ଦଳ ସଫେଇ ଦେଇ କହିଛି, କୌଣସି ପରମ୍ପରା ଭଙ୍ଗ ହୋଇନାହିଁ ।
ବିଜେଡି ଅଭିଯୋଗ କରିଛି ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଥାଉ ଥାଉ କାହିଁକି କେନ୍ଦ୍ରମନ୍ତ୍ରୀ ଦିଗଦର୍ଶନ କାର୍ୟ୍ୟକ୍ରମକୁ ଉଦଘାଟନ କରିବେ । ଏହା କ’ଣ ଓଡିଆ ଅସ୍ମିତା ? ବିଧାନସଭା ପରିସରରେ ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାଧାରଣ ବକ୍ତା ଭାବେ ଯୋଗ ଦେବା ତାଙ୍କ ପଦର ମର୍ୟ୍ୟାଦା ହାନୀ କରୁଛି । ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ୟାର ଉପରେ ରହିଥାଏ ମୁଖ୍ୟମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ୟ୍ୟକ୍ରମରେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ୟ୍ୟାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ୟ୍ୟକ୍ରମରେ ସାମିଲ ହେବନି ମୁଖ୍ୟ ବିରୋଧୀ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବିଜେଡିର ଯୁକ୍ତି ହେଉଛି ବିଧାନସଭାର ପରମ୍ପରା ଭାଙ୍ଗି ଅଗଣତାନ୍ତ୍ରିକ ଭାବେ କାର୍ୟ୍ୟକ୍ରମ କରାଯାଉଥିବାରୁ ଏଥିରେ ଦଳ ସାମିଲ ହେବ ନାହିଁ ।
ସେପଟେ କଂଗ୍ରେସର ଅଭିଯୋଗ ହେଉଛି ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବାକୁ ନେଇ ବିଜେପି ରାଜନୀତି କରୁଛି । ବିଧାନସଭାର ପରମ୍ପରା ଭଙ୍ଗ କରି ଦଳୀୟ ଭିତ୍ତିରେ କାର୍ୟ୍ୟକ୍ରମ କରାଯାଉଛି । ବିଧାନସଭା କାର୍ୟ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି କଂଗ୍ରେସ ବିଧାୟକ ରାଜେନ ଏକ୍କା ପ୍ରଶ୍ନ କରିଛନ୍ତି ।