ବି୍ରକ୍ସ ସମ୍ମିଳନୀରେ ଯୋଗଦେବେ ମୋଦି
ାା ଏଜେନ୍ସି ।ା ନୂଆଦିଲ୍ଲୀ : ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ରୁଷର କଜନଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଥିପାଇଁ ଭାରତକୁ ନିମନ୍ତ୍ରଣ ପଠାଇଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି । ଚଳିତ ସମ୍ମିଳନୀର ଥିମ ରହିଛି ‘ବୈଶ୍ୱିକ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦକୁ ମଜଭୁତ କରିବା’ । ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ହୋଇଥିବା ବ୍ରିକ୍ସ ସଂଗଠନକୁ ପରିବର୍ଦ୍ଧିତ କରାଯାଇ ଆଉ ୪ଟି ଦେଶକୁ ସାମିଲ କରାଯାଇଛି । ଏହି ଦେଶଗୁଡ଼ିକ ହେଲା ଇଜିପ୍ଟ,, ଇଥିଓପିଆ, ଇରାନ ଏବଂ ୟୁଏଇ । ବିଶ୍ୱସ୍ତରରେ ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା ଏହି ସମ୍ମିଳନୀର ଏକ ଲକ୍ଷ୍ୟ । ତେବେ ଏହି ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ଅନ୍ୟ ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।