ମାନିଲା ରାଣା ‘ପାକିସ୍ତାନର ଏଜେଣ୍ଟ ଥିଲି’

 ନୂଆଦିଲ୍ଲୀ :  ପାକିସ୍ତାନ୍ ଆର୍ମିର ମୁଁ ଏଜେଣ୍ଟ ଥିଲି । ଆଉ ୨୬/୧୧ ମୁମ୍ବାଇ ଆକ୍ରମଣ ସହିତ ମୋର ସିଧାସଳଖ ସମ୍ପୃକ୍ତି ରହିଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଧୀନରେ ତଥା ଏନ୍ଆଇଏ କଷ୍ଟଡିରେ ଥିବା ଆତଙ୍କବାଦୀ ତହବୁର ରାଣାକୁ ଘନ ଘନ ଜେରା ପରେ ଆଜି ଏହି ତଥ୍ୟ ଦେଇଛି ରାଣା । ରାଣାକୁ ବର୍ତ୍ତମାନ ଏନ୍ଆଇଏ କଷ୍ଟଡିରେ ଦିଲ୍ଲୀ ତିହାର ଜେଲ୍ରେ ଥିବା ବେଳେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଥିବା ବିଭିନ୍ନ ପ୍ରଶ୍ନରେ ସେ ଏହି ବୟାନ ରଖିଛି । ରାଣା କହିବାନୁସାରେ ସେ ଏବଂ ତା ସହଯୋଗୀ ଡେଭିଡ୍ କୋଲମେନ୍ ହେଡ୍ଲୀ ପାକିସ୍ତାନ୍ର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଅଧୀନରେ ବିଭିନ୍ନ ତାଲିମ୍ ନେଇଛନ୍ତି । ସେ ଏହା ମଧ୍ୟ କହିଛି ଯେ, ବିଭିନ୍ନ ସ୍ଥାନରେ ବିଶେଷ କରି ଭାରତ ପାଇଁ ଲସ୍କର-ଏ-ତୋଏବାର ସଦସ୍ୟମାନେ ଗୁଇନ୍ଦାଗିରିରେ ଲିପ୍ତ ରହିଛନ୍ତି ।
ଏହାସହ ମୁମ୍ବାଇରେ ତାଙ୍କର ଇମିଗ୍ରେସନ୍ ଫାର୍ମର ଏକ କେନ୍ଦ୍ର ଖୋଲିବା ତାଙ୍କର ଲକ୍ଷ୍ୟ ଥିଲା । ଏହା ସହିତ ଜଡିତ ଆର୍ଥିକ କାରବାରକୁ ବ୍ୟବସାୟିକ ଖର୍ଚ୍ଚ ଭାବରେ ବର୍ଣ୍ଣନା କରାଯାଇଥିଲା । ଆଉ ସେ ଏହା ମଧ୍ୟ ସ୍ୱୀକାର କରିଛି ଯେ ୨୦୦୮ରେ ୨୬/୧୧ ଆକ୍ରମଣ ସମୟରେ ସେ ମୁମ୍ବାଇରେ ଥିଲା । ମୋଟାମୋଟି ଭାବେ ସେ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ ଥିଲା । ବର୍ତ୍ତମାନ ମୁମ୍ବାଇ ପୁଲିସ ରାଣାକୁ ଗିରଫ କରି ତାଙ୍କୁ ହେପାଜତକୁ ନେବାକୁ ପ୍ରସ୍ତୁତି ଚଳାଇଛି ।