ଆଜି ମୁଖ୍ୟମନ୍ତ୍ରୀ ଯିବେ ଝାରସୁଗୁଡ଼ା

ଆଜି ମୁଖ୍ୟମନ୍ତ୍ରୀ  ଯିବେ ଝାରସୁଗୁଡ଼ା

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଆସନ୍ତା ୫ ତାରିଖ ଗସ୍ତ କାର୍ୟ୍ୟକ୍ରମ ସ୍ଥିର ହୋଇଥିଲା । କେତେକ ଅନିବାର୍ୟ୍ୟ କାରଣରୁ ଏଥିରେ ପରିବର୍ତ୍ତନ  କରାଯାଇଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। 
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱରରୁ ବାହାରି ଗୁରୁବାର  ଅପରାହ୍ନ ପ୍ରାୟ ୩ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଝାରସୁଗୁଡ଼ା ଝାଡ଼େଶ୍ୱର ମନ୍ଦିରକୁ ଯିବେ । ସେଠାରେ  ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ କୋଟି  ଟଙ୍କାରେ ହେବାକୁ ଥିବା ମନ୍ଦିର ପରିସରର ଉନ୍ନତୀକରଣ ପ୍ରକଳ୍ପ,  ପାର୍କ, ଜଳାଶୟ ଉନ୍ନୟନ କାର୍ୟ୍ୟର ଶିଳାନ୍ୟାସ କରିବେ । ଅପରାହ୍ନ ପ୍ରାୟ ୫ଟାରେ ଝାରସୁଗୁଡ଼ା ବିଟିଏମ୍‌ ପଡ଼ିଆରେ ଆୟୋଜିତ ଜିଲ୍ଲା ମହୋତ୍ସବ ‘ଦୁଲ୍‌ଦୁଲି'ରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ  କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ହଠାତ୍‌ ଗସ୍ତକୁ ନେଇ  ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ କାର୍ୟ୍ୟକ୍ରମ ଥିବାରୁ ବୁଧବାର ରାତିରେ ଏସ୍‌ପି  ସ୍ମିଥ ପର୍‌ମାର ପୀଠରେ କାର୍ୟ୍ୟକ୍ରମ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା  ତଦାରଖ କରିଛନ୍ତି।