ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋରାପୁଟ ଜିଲ୍ଲାର କୋଟପାଡ଼ର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ କୋରାପୁଟ ଜିଲ୍ଲାରେ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୯୯୦ ରୁ ୯୫ ପର୍ଯ୍ୟନ୍ତ କୋଟପାଡର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗମନାଗମନ କ୍ଷେତ୍ରରେ ଅନେକ  ପରିବର୍ତ୍ତନ ଆଣିଥିଲେ। ଅଞ୍ଚଳର ବିକାଶ ପାଇଁ ତାଙ୍କ ଯୋଗଦାନ ତାଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗରେ କୋରାପୁଟ ଜିଲ୍ଲା ରାଜନୀତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା।  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ମହାପ୍ରଭୁଙ୍କ ନିକଟରେ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।