ନୂଆ ଶ୍ରମ ଆଇନକୁ ବିରୋଧ: ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ
ପୁରୀ : ନୂଆ ଶ୍ରମ ଆଇନକୁ ବିରୋଧ କରି ମେ ୨୦ ତାରିଖ ଦିନ ଦେଶବ୍ୟାପୀ ହେବ ଶ୍ରମିକ ଧର୍ମଘଟ । ଏହି ଧର୍ମଘଟକୁ ସଫଳ କରିବା ପାଇଁ ଏଆଇଟିୟୁସିର ପୁରୀ ଜିଲ୍ଳାସ୍ତରୀୟ କନଭେନସନ୍ ସ୍ଥାନୀୟ କୂଳମଣି ଭବନରେ ପ୍ରଦୀପ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କନ୍ଭେନସନ୍ରେ ଏଆଇଟିୟୁସି ସହିତ ସହବନ୍ଧିତ ନୀଳଗିରି ମୋଟର କର୍ମଚାରୀ ସଂଘ, ନିର୍ମାଣ ଶ୍ରମିକ ସଂଘ, ପୂର୍ବତନ ରେଳବାଇ ଠିକା ଶ୍ରମିକ ସଂଘ, ପୁରୀ ବିଦୁ୍ୟତ୍ କର୍ମଚାରୀ ସଂଘ, ଅଙ୍ଗନୱାଡ଼ି କର୍ମୀ ସଂଘ, ଆଶା କର୍ମୀ ସଂଘ, ସୁନାର ଗୌରାଙ୍ଗ ଅଟୋଚାଳକ ସଂଘ, ମୁଣ୍ଡିଆ ମରା ଅଟୋଚାଳକ ସଂଘ, ସିପସରୁବାଲି ଅଟୋଚାଳକ ସଂଘ, ଗ୍ରିନ୍ ସିଟି ଅଟୋଚାଳକ ସଂଘ, ଉଦ୍ୟାନସାଥୀ ସଂଘ ଆଦି ଶ୍ରମିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଧର୍ମଘଟକୁ ସଫଳ କରିବା ସଂପର୍କରେ ଆଲୋଚନା କରିଥବଲେ । ଏଆଇଟିୟୁସିର ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା, ପୁରୀ ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ପ୍ରଧାନ, ଅଜୟ କୁମାର ମିଶ୍ର, ମନୋରଂଜନ ପରିଡ଼ା, ସୁରେଶ ଚନ୍ଦ୍ର ବିଶ୍ୱାଳ, ବିପିନ ସାହୁ, ଗୋଲେଖ ନାୟକ, ରାଜକିଶୋର ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅହଲ୍ୟା ପାଣ୍ଡେ, ସସ୍ମିତା ଦେଇ ପ୍ରମୁଖ ନେତାମାନେ କନ୍ଭେନ୍ସନ୍ରେ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସେମାନେ କହିଥିଲେ ଯେ ନୂଆ ଶ୍ରମ ଆଇନ ଭାରତର ଶ୍ରମିକ ଶ୍ରେଣୀକୁ ଗୋତିଶ୍ରମିକ କରିଦେବ । ନୂଆ ଶ୍ରମ ଆଇନ ବହୁଦେଶୀୟ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିବା ସହ ଏହା ଭାରତର ବ୍ୟାପକ ବେକାରୀ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ । ନୂଆ ଶ୍ରମ ଆଇନ ବାତିଲ ପାଇଁ ମେ ୨୦ ତାରିଖ ଧର୍ମଘଟକୁ ସଫଳ କରାଇବା ପାଇଁ ସେମାନେ ଆହ୍ୱାନ ଜଣାଇଥିଲେ ।