ଓଡ଼ିଆମାନଙ୍କୁ ଓଡ଼ିଆ ନୂଆବର୍ଷର ଅଭିନନ୍ଦନ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ । ଆଜି ଭାରତର ସମ୍ବିଧାନ ପ୍ରଣେତା, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଅବହେଳିତ, ଦଳିତଙ୍କ ସ୍ୱାର୍ଥ ଓ ସମ୍ମାନ ତଥା ସାମାଜିକ ସମରସତାର ମୂର୍ତ୍ତିମନ୍ତ ପ୍ରତୀକ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ। ଆଜିର ଏହି ପବିତ୍ର ଶୁଭଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷ ଓ ଆଗକୁ ଆହୁରି ଅନେକ ଅନେକ ବର୍ଷ ଆପଣଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦର ହାତ ରହୁ ଏହା ହିଁ କାମନା କରୁଛି। ଗତ କିଛିଦିନ ତଳେ ଚଳିତ ଅପ୍ରେଲ ମାସ୧ ତାରିଖରେ ଆମେ ଓଡ଼ିଶା ଦିବସ ପାଳନ କରିଛନ୍ତି। ଅପ୍ରେଲ ୧ ଓଡ଼ିଶା ଦିବସରୁ ଅପ୍ରେଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାବରେ ଆମ ସ୍ୱାଭିମାନ, ପରିଚୟ ଓ ଅସ୍ମିତାରେ ଯୋଡ଼ି ହେବାପାଇଁ ଓ ଏଥିରୁ ପ୍ରେରଣା ନେବାପାଇଁ ପ୍ରତିଦିନ ଓଡ଼ିଆ ସ୍ୱତନ୍ତ୍ର ପରିଚୟର ଉତ୍ସବ ପାଳନ କରିଛେ। ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୁତିକୁ ନେଇ ଗତ ୧୪ ଦିନ ଧରି ଆମ ପରିଚୟକୁ ଖୋଜିବା ସହ ନୂଆ ପୀଢ଼ି ପାଖକୁ ବାର୍ତ୍ତା ପହଁଞ୍ଚାଇବା ପାଇଁ ଚେଷ୍ଟା କରିଛେ। ଏହି ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣୀ ମହାପୁରୁଷ ଓ ମହୟସୀମାନଙ୍କୁ, ଯେଉଁମାନଙ୍କ ତ୍ୟାଗ, ବଳିଦାନ ଯୋଗୁଁ ସମ୍ଭବ ହୋଇଥିଲା ଖଣ୍ଡବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ, ସେମାନଙ୍କୁ ଯଥୋଚିତ ସମ୍ମାନ ଦେଉଛୁ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୯୧ତମ ପ୍ରତିଷ୍ଠା ଦିବସରୁ ଆଜି ୧୪ ଅପ୍ରେଲ ମହାବିଷୁବ ପଣାସଂକ୍ରାନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂଆ ଅବସର ପାଇଁ ସୁଯୋଗ ସୃଷ୍ଟି କରୁ, ଆଜି ଦିନରେ ଏହା ହିଁ କାମନା। ଆସନ୍ତୁ ମନ, ପ୍ରାଣ, ହୃଦୟରୁ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମର ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ୱାଭିମାନୀ ଓଡ଼ିଆ ଗଠନ କରିବାକୁ ସଂକଳ୍ପ ନେବା। ଉତ୍କଳଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର, ସ୍ୱଭାବକବି ଗଙ୍ଗାଧର, ବ୍ୟାସକବି ଫକୀର ମୋହନ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏମିତି ଆହୁରି ଅନେକ ନେତୃତ୍ୱଙ୍କର ଦୂରଦୃଷ୍ଟିର ଓଡ଼ିଆ ଜାତି ହିଁ ଦାୟାଦ। ଓଡ଼ିଆ ଆଜି ଯାହା ଚିନ୍ତା କରେ, ସାରା ଦେଶ ଆଗାମୀ ଦିନରେ ସେହି ରାସ୍ତାରେ ଯାଏ। ସ୍ୱାଧୀନତା ପୂର୍ବରୁ ଆମ ଜାତି ଭାଷା ଆଧାରିତ ରାଜ୍ୟ ଗଠନ ପାଇଁ ଦୀର୍ଘ ଦଶନ୍ଧି ଧରି ଲଢ଼େଇ କରିଥିଲା। ସ୍ୱାଧୀନତା ପରେ ଆମ ଦେଶରେ ରାଜ୍ୟ ଗଠନର ଆଧାର ହେଲା ଭାଷା।