ଅରୁଣଙ୍କ ମନରେ ନିଆଁ : ନିଜେ ଜଳିବେ ନା ଜାଳିବେ
ଭୁବନେଶ୍ୱର: ଏକଦା ରାଜ୍ୟ ରାଜନୀତିରେ ତିନି ଯୁବନେତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ତକôାଳୀନ ଜନତା ଦଳର ଅରୁଣ ସାହୁ, ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସର ଲୁଲୁ ମହାପାତ୍ର । ଏବେ ଲୁଲୁ ଆରପାରିରେ ଥିବାବେଳେ ଧର୍ମେନ୍ଦ୍ର ଓ ଅରୁଣ ରାଜନୀତିକ ମଇଦାନରେ ଅଛନ୍ତି । ନିଜ ନିଜ ଦଳରେ ବି ସେମାନଙ୍କର ଢେର ପ୍ରଭାବ ରହିଛି । କିନ୍ତୁ ଅରୁଣଙ୍କ ତେଜ ବିଜେଡ଼ିରେ ହ୍ରାସ ପାଇପାଇ ଚାଲିଛି । ଦକ୍ଷତା ଅନୁଯାୟୀ ଦଳ ତାଙ୍କୁ ଦାୟିତ୍ୱ ଦେଇନାହିଁ । ତେବେ ବିଜେଡ଼ି ପାୱାରରେ ଥିବାବେଳେ କ୍ଷମତା ପାଇଁ ଅରୁଣଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଥିବାବେଳେ ଏବେ କିନ୍ତୁ ତୁଣ୍ଡ ଖୋଲିଛି । ଖାଲି ଖୋଲିନି ବରଂ ପାଟିରୁ ଅଗ୍ନିବର୍ଷା ହେଉଛି କହିଲେ ଭୁଲ୍ ହେବନାହିଁ ।
ଏକ ସଭାରେ ଅରୁଣ ପରୋକ୍ଷରେ ଫାଇଭ୍ ଟି ବାଣ ମାରିଥିଲେ । ଆମେ ଯେମିତି ଫାଇଭ ଟି ପାଇଁ ଗଲୁ, ତମେ ସେମିତି ଅସ୍ମିତା ପାଇଁ ଯିବ ବୋଲି ଅରୁଣ ବିଜେପି ଉଦେ୍ଦଶ୍ୟରେ କହିଥିଲେ । ତେବେ ଫାଇଭ ଟି ବାଣକୁ ନେଇ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।
ସେହିପରି ନବୀନ ବାବୁ ହସପିଟାଲରେ ଥିବାବେଳେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିଭଳି ପାଣ୍ଡିଆନଙ୍କ ପନôୀ ସୁଜାତା କାର୍ତ୍ତିକେୟନ୍ଙ୍କୁ ଟାର୍ଗେଟ୍ କରିଥିଲେ ତାହା ସମସ୍ତେ ଜାଣିଛନ୍ତି । ସେହି ସମୟରେ ପାଣ୍ଡିଆନଙ୍କ ବହୁ ଚର୍ଚ୍ଚିତ ଡାଇଲଗ୍, ‘ଆଇ ଆମ୍ ଡାଉନ୍, ବଟ ନଟଆଉଟ’କୁ ନେଇ ବି ଚର୍ଚ୍ଚା ହୋଇଥିଲା । କୁହାଯାଉଛି ସେଠାରେ ଉଭୟ ରାଜା ଓ ଅରୁଣ ଥିଲେ । ସୁଜାତା ଆସିବା ପୂର୍ବରୁ ଏନେଇ କଥା ଛଳରେ ଉଭୟ ନେତା କ୍ଷୋଭ ପ୍ରକାଶ କରିଥିଲେ । ତେବେ ସୁଜାତା ଆସିବା ବେଳେ ଅରୁଣ ଚୁପ୍ ବସିଥିବାବେଳେ ରାଜା କିନ୍ତୁ ଭଲକି ଶୁଣାଇଥିଲେ । ଅରୁଣ ଚୁପ୍ ବସିଥିଲେବି ସେ କୁଆଡ଼େ ରାଜାଙ୍କୁ ଟିହାଇଥିଲେ ବୋଲି ପାଣ୍ଡିଆନଙ୍କ ପାଖକୁ ବାର୍ତ୍ତା ଯାଇଥିବା ଚର୍ଚ୍ଚା ହେଉଛି ।
ଖାଲି ସେତିକିନୁହେଁ ନିକଟରେ ଅରୁଣ ସାହୁ ଓ ଅନ୍ୟ କେତେକ ନେତା ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ । ପରେ ଅରୁଣ ଏନେଇ ବିବୃତ୍ତି ଦେଇଥିଲେ । ସାଧାରଣତଃ ନବୀନଙ୍କୁ ଭେଟିବା ସମୟର ଫଟୋ କି ଭିଡ଼ିଓ ଜାରି ହୋଇଥାଏ । ହେଲେ ଅରୁଣ ନବୀନ ନିବାସ ବାହାରେ ଭିଡ଼ିଓ ସୁଟ୍ କରି ବାର୍ତ୍ତା ଦେଇଥିଲେ । ସେଦିନ ସେ ନବୀନଙ୍କୁ ଭେଟିଛନ୍ତି କି ନାହିଁ ତାହା ମା’ ଗଙ୍ଗେଇଙ୍କୁ ଜଣା । କାହିଁକିନା ତାଙ୍କ ସହ ଯାଇଥିବା କୌଣସି ନେତା ନବୀନଙ୍କ ସହ ଭେଟଘାଟର ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିନଥିଲେ ।
ଏହାର କିଛିଦିନ ପରେ ଅର୍ଥାତ ଗୁରୁଦିବସ ଦିନ ଅରୁଣ କିଭଳି ବିଦ୍ରୋହ ନିଅାଁରେ ଜଳୁଛନ୍ତି ତାହା ବଖାଣିଛନ୍ତି । ରାଜ୍ୟର ଦୁର୍ଗତି କଥା ସେ କହିଥିଲେବି ବିଜେଡ଼ିର ଦୁର୍ଗତି ପାଇଁ ଦାୟୀ ନେତାଙ୍କୁ ସେ ପ୍ରକୃତରେ ଇଙ୍ଗିତ କରିଥିବା କୁହାଯାଉଛି । ଏମିତିକି ଜାଳିପୋଡ଼ି ଧ୍ୱଂସ କରିଦେବାକୁ ଓ ବଡ଼ ବିପ୍ଳବ ପାଇଁ ମଧ୍ୟ ସେ ସଂକେତ ଦେଇଛନ୍ତି ।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଅରୁଣ ଅନେକ ବର୍ଷ ଧରି ଦଳର କାର୍ଯ୍ୟଧାରାକୁ ନେଇ ସନ୍ତୁଷ୍ଟ ନାହାନ୍ତି । ୨୦୧୭ ମେ’୬ରେ ହଠାତ୍ ଦଳର ୟଙ୍ଗ ବ୍ରିଗେଡ଼ମାନେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ । ସେଥର ୧୦ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି ଓ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ । ସେତେବେଳେ ଅରୁଣ ଓ ସଂଜୟ ମଧ୍ୟ ଦଳର ଏମିତି ନିଷ୍ପତ୍ତିକୁ ନେଇ ସନ୍ତୁଷ୍ଟ ନଥିଲେ । ବବି ଦାସ ହିଁ ଏଭଳି ନାଟକ ରଚିଥିବା ନେଇ ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଆମେ ସବୁ ସଂଗଠନ କାର୍ଯ୍ୟ କରିବୁ, ମନ୍ତ୍ରୀ ପଦ ଛାଡ଼ି ରାଜ୍ୟ ବୁଲିବୁ ବୋଲି ବବି ହିଁ ନବୀନଙ୍କୁ ବୁଝାଇଥିଲେ । ଅବଶ୍ୟ ଏ ବୁଦ୍ଧି ପାଣ୍ଡିଆନଙ୍କର ଥାଇପାରେ ବୋଲି କୁହାଯାଇପାରେ ।
୨୦୨୦ ମାର୍ଚ୍ଚ ୫ରେ ପ୍ରଣବ ପ୍ରକାଶ ଦାସଙ୍କୁ ନବୀନ ବାବୁ ସଂଗଠନ ସମ୍ପାଦକ ଦାୟିତ୍ୱ ଦେଲେ । ଅର୍ଥାତ୍ ଦଳରେ ସେ ନମ୍ବର ୨ ବୋଲାଇଲେ । ଯାହାକୁ ନେଇ ବି ଅରୁଣ କ୍ଷୁବ୍ଧ ଥିଲେ । କିନ୍ତୁ ବାଧ୍ୟରେ ମନକଥା ମନରେ ମାରି ରଖିôଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ବବି ଦାସ ଓ ପରେ ପାଣ୍ଡିଆନଙ୍କ ମାତ୍ରାଧିକ ମାମଲତିକୁ ନେଇ ବି ସେ ଅସନ୍ତୁଷ୍ଟ ଥିଲେ । କିନ୍ତୁ ନବୀନଙ୍କ ଡର ଓ ପତା କଟିଯିବା ଭୟରେ ସେ ନୀରବ ରହିଥିଲେ ।
ଗତ ବର୍ଷ ମେ’ରେ ବିଜୁ ଜନତା ଦଳ ୨୪ ବର୍ଷ ପରେ ରାଜନୈତିକ ବ୍ୟାପାର କମିଟି ଗଠନ କରିଥିଲା । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ର କମିଟିରେ ରହିଥିଲେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଅରୁଣ ଏଥିରେ ସ୍ଥାନ ପାଇନଥିଲେ । ଯାହାକି ତାଙ୍କ କ୍ଷୋଭ ଓ ଅସନ୍ତୋଷକୁ ବଢ଼ାଇ ଦେଇଥିଲା । ଏତଦବ୍ୟତୀତ ଦଳ ଏତେ ସରି ହେବା ପରେ ନିର୍ଦ୍ଦିଷ୍ଟ କୋଟରୀ ବିଜେଡ଼ିକୁ ଚଳାଉଥିବାରୁ ତାଙ୍କ ମନରେ ବିଦ୍ରୋହର ନିଅାଁ ଜଳିଛି ।
ଏବେ କଥା ହେଉଛି, ଅରୁଣ ନିଜ ମନରେ ଥିବା ବିଦ୍ରୋହର ନିଅାଁରେ ନିଜେ ଅନୁତପ୍ତ ହୋଇ ଜଳିବେ ନା ବିସ୍ଫୋରଣ କରି ନିର୍ଦ୍ଦିଷ୍ଟ କୋଟରୀକୁ ଜଳାଇବେ ତାହା ଦେଖିବାକୁ ବାକି ରହିଲା ।