ମୁଖ୍ୟମନ୍ତ୍ରୀଙ୍କ ସାର ସମୀକ୍ଷା: ଜବତ ସାର ଚାଷୀକୁ ଆବଣ୍ଟନ କର
ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପାକ୍ସ ଏବଂ ଲାମ୍ପସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।
କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ସେହି ସାରକୁ ନିକଟସ୍ଥ ପାକସ କିମ୍ବା ଲ୍ୟାମ୍ପସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକର ଆଲୋଚନାରୁ ଜଣାଯାଇଛିଯେ, ରାଜ୍ୟରେ ସାରର କୌଣସି ଅଭାବ ନାହିଁ । ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ସୂଚନା ଅନୁଯାୟୀ, ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି । ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧ ଲକ୍ଷ ୬୬ ହଜାର ୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯ ଲକ୍ଷ ୮୫ ହଜାର ୯୬୭ ମେଟ୍ରିକଟନ ସାର ବିକ୍ରି ହୋଇସାରିଛି ।
ବୈଠକରେ, ଜିଲ୍ଲାରେ ସାରର ଷ୍ଟକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପାକ୍ସ ଓ ଲ୍ୟାମ୍ପସକୁ ବିଭିନ୍ନ ଗ୍ରେଡ଼ର ସାର ଯୋଗାଇଦେବା ପାଇଁ କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି, ମାର୍କଫେଡ଼ର ଅଧିକାରୀମାନଙ୍କୁ ସାରଯୋଗାଣ ତ୍ୱରାନ୍ୱିତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ କରିବା, କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଜିଲ୍ଲାରେ ଫସଲ ବିବିଧକରଣ ଓ ସମନ୍ୱିତ ଚାଷ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା, ତୈଳବୀଜ ଏବଂ ଡାଲି ଜାତୀୟ ଫସଲ କରିବା ପାଇଁ ପ୍ରୋସôାହନ ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଣୁ, ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷ କାର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ସଫଳ ହୋଇପାରିବ । ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ କରି ସେଠାରେ ଚାଷୀମାନଙ୍କୁ ଯଥା ସୁବିଧା ଯୋଗାଇ ଦିଆଯାଉଛି ଏବଂ ଯେପରି ସେହି ଅଞ୍ଚଳରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ବିଷୟରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ ।
ଏହି ଅବସରରେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିବା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ, ପ୍ରତ୍ୟେକ ଜିଲ୍ଲାରେ ସାର ବଣ୍ଟନ କାର୍ଯ୍ୟକଳାପ ବିଷୟରେ ପଚାରି ବୁଝିଥିଲେ ଏବଂ କୌଣସି ସ୍ଥାନରେ ଚାଷୀମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।