‘ସବୁ ସରକାରୀ ଯୋଜନା ଲୋକଙ୍କ ହିତ ପାଇଁ ଉଦ୍ଧିଷ୍ଟ’
ପୁରୀ: ସରକାରଙ୍କର ପ୍ରତ୍ୟେକ ଯୋଜନା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ । ଏହାର ସଫଳ ରୂପାୟନ ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସମସ୍ତ ଯୋଜନାର ସୁଫଳ ଯେଭଳି ପହଞ୍ଚôପାରିବ ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ସ୍ଥାନୀୟ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଳାର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ସାଧାରଣ ଜନତା ଯେଭଳି ମୌଳିକ ସୁବିଧା ସୁଯୋଗ ପାଆନ୍ତି ଏବଂ କୌଣସି ସମସ୍ୟା ପାଇଁ ଆଇନ ଅନୁଯାୟୀ ତ୍ୱରିତ ସେବା ପାଇବେ ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଆଗକୁ ରଥଯାତ୍ରା ଥିବାରୁ ଯଥାଶୀଘ୍ର ରାସ୍ତାଘାଟ ମରାମତି, ପାନୀୟଜଳ ବ୍ୟବସ୍ଥା, ପରିମଳ, ଆଲୋକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ଗମନାଗମନ, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ଇତ୍ୟାଦି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରୀୟରଂଜନ ପୃଷ୍ଟି ବୈଠକ ପରିଚାଳନା କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ପଞ୍ଚାୟତିରାଜ ଓ ପାନୀୟଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ସମୀକ୍ଷା କରାଯାଇଥିଲା । ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଳାର ବିଭିନ୍ନ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଳାର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱାଲ ଜିଲ୍ଳାରେ ଆରକ୍ଷୀ ବିଭାଗର ସ୍ଥିତି ଓ କାର୍ଯ୍ୟକାରିତା ଆଇନ ଶୃଙ୍ଖଳା ପରିସ୍ଥିତି ଓ ରଥଯାତ୍ରା ପାଇଁ ଗ୍ରହଣ କରାଯାଉଥିବା ପୋଲିସ ବିଭାଗର ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଳାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡ଼. ଶରତ ଚନ୍ଦ୍ର ମହାପାତ୍ର, ନୀଳମାଧବ ଭୋଇ, ପୌର ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲ୍ଳାପାଳ ରାଜକିଶୋର ଜେନା ପ୍ରମୁଖ ଜିଲ୍ଳାସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦାନ କରିଥିଲେ ।