ଝାଡୁ ମାରି ସ୍ବଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ବଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରୀଛାତ୍ର ସଫେଇ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ‘ଏକ ପେଡ୍ ମା’ କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଉଦ୍ବୋଧନ ଦେଇ କହିଥିଲେ ଯେ, ଆଜିର ଦିନଟି ସାଧାରଣ ଦିନ ନୁହେଁ, ଏହା ଆମ ଦେଶର ମହାନ ଚିନ୍ତକ, ରାଷ୍ଟ୍ରଭକ୍ତ ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ ପିଢି ସାମ୍ନାରେ ଉପସ୍ଥାପିତ କରିବାର ଅବସର ଅଟେ। ଓଡ଼ିଶାକୁ ସମୃଦ୍ଧ ଓଡ଼ଶା ଓ ନୂଆ ଓଡ଼ିଶାରେ ପରିଣତ କରିବା ପାଇଁ ଆମ ସମସ୍ତଙ୍କୁ ଆଜି ସଂକଳ୍ପ ନେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ବଚ୍ଛତା କ୍ଷେତ୍ରରେ ସମସ୍ତଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ରହିଛି। ସଫେଇ କ୍ଷେତ୍ରରେ ଦେଶର ପ୍ରଥମ ତିନୋଟି ସ୍ଥାନରେ ରହିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟକରିବାକୁ ପଡ଼ିବ।
ସେ ପୁଣି କହିଥିଲେ ଆଗାମୀ ଦିନରେ ଅବର୍ଜନାରୁ କୋଇଲା ଏବଂ କୋଇଲାରୁ ଶକ୍ତି ଉତ୍ପାଦନ କରିବା ପାଇଁ ଆମର ଯୋଜନା ରହିଛି। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, କର୍ପୋରେଟର ବୃନ୍ଦ, ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଚଞ୍ଚଲ ରାଣା ସ୍ବଗତ ଭାଷଣ ଦେଇଥିଲେ।