ଜଳ ବିନା ମାଛ ଯେଭଳି ଠିକ୍ ସେମିତି କ୍ଷମତା ବିନା କଂଗ୍ରେସ ଦଳ:ମୋହନ

ଭୁବନେଶ୍ୱର: ଜଳ ବିନା ମାଛ ଯେଭଳି ଠିକ୍ ସେମିତି କ୍ଷମତା ବିନା କଂଗ୍ରେସ ଦଳ । କ୍ଷମତାରେ ରହିବା ପାଇଁ କଂଗ୍ରେସ ଯେକୌଣସି ସ୍ତରକୁ ଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ଶ୍ରୀ ମାଝୀ କହିଛନ୍ତି ଯେ, କ୍ଷମତା ଲୋଭରେ ଅନ୍ଧ ହୋଇଯାଇଛି କଂଗ୍ରେସ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ କଂଗ୍ରେସ ଆଦୌ ପଛଘୁଂଚା ଦିଏ ନାହିଁ । ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇଛି । ଏପରିକି ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଏକତାକୁ ବିପଦରେ ପକାଇଛି । ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ କନଫରେନ୍ସ’ ସହ ଆଗାମୀ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନରେ ମେଂଟ କରି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନ୍ୟାସନାଲ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି କହିବା ସହ ଶ୍ରୀ ମାଝୀ ୧୦ ଟି ପ୍ରଶ୍ନ ପଚାରିଛନ୍ତି ।