ଆମ୍ବଟାକୁଆ ଘଟଣାର ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆ ଖାଇ ୨ଜଣ ମହିଳାଙ୍କ ମୃତ୍ୟୁ ହେବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହେବା ଘଟଣାର ତଦନ୍ତ ରାଜସ୍ୱ ଡିଭିଜନ କମିଶନର(ଆରଡିସି) କରିବେ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ଓ ଏସଓପି ଜାରି ହେବ । ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ମଧ୍ୟ ଆରଡିସି ଆବଶ୍ୟକ ମତାମତ ଦେବେ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀ କଂଗ୍ରେସ ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବା ସହ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଦାବି କରିଛି । କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଆଦିବାସୀ ଅଂଚଳରେ ପେସା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ କନ୍ଧମାଳ ଓ ଗଜପତି ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ନିମନ୍ତେ ମଧ୍ୟ ପ୍ରସ୍ତାବ ଦେଇଛି ।