ମହିଳା ପ୍ରିମିୟର ଲିଗ୍: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ବିଜେତା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନ୍ରେ ହରାଇ ଚାମ୍ପିଅନ ହୋଇଛି ହର୍ମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ । ଦ୍ୱିତୀୟ ଥର ପାଇଁ ଡବ୍ଲୁ୍ୟପିଏଲ୍ ଟାଇଟଲ ନିଜ ନାମରେ କରି ନେଇଛି ଦଳ । ମହିଳା ପ୍ରିମିୟର ଲିଗର ଛୋଟ ଇତିହାସରେ ଏକ ସଫଳ ଦଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ବିଜେତା ଦଳ ଉପରେ ଟଙ୍କା ବର୍ଷା ହୋଇଛି । ଟ୍ରଫି ସହ ଚାମ୍ପିଅନ ଦଳକୁ ପୁରସ୍କାର ରାଶି ବାବଦକୁ ୬ କୋଟି ଟଙ୍କା ମିଳିଛି । ଏହା ସହିତ ଅରେଞ୍ଜ କ୍ୟାପ୍, ପର୍ପଲ କ୍ୟାପ୍ ଜିତିଥିଲା ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହୋଇଛି । ବ୍ରାବୋର୍ନ୍ ଷ୍ଟାଡିୟମରେ ଡବ୍ଲୁ୍ୟପିଏଲ୍ ଫାଇନାଲ ଫାଇଟ୍ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀକୁ ୧୫୦ରନ ବିଜୟ ଲକ୍ଷ୍ୟ ମିଳିଥିଲା । ହର୍ମନପ୍ରୀତ କୌର ସର୍ବାଧିକ ରନ୍ କରିଥିଲା । ସେ ୬୬ରନର ଇନିଂସ ଖେଳିଥିଲେ । ସ୍କିଭର-ବ୍ରଣ୍ଟ ୩୦ ରନ କରିଥିଲେ । ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ । ଫଟାଫଟ ୱିକେଟ ହରାଇଥିଲା । ୯ ୱିକେଟ ହରାଇ ୧୪୧ ରନ୍ କରିବାରେ ସକ୍ଷମ ହୋଇଥିଲା । ୮ ରନ୍ରେ ବାଜି ମାରି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ।