ନୂଆପଡ଼ା: ନୂଆପଡ଼ା ସଦର ମହକୁମାସ୍ଥିତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ସମ୍ମୁଖରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ବିଜ୍ଞାପିତ ଅଞ୍ଚଳ ୧୨ ନମ୍ବର ୱାର୍ଡ ସିରତୋଲର ସୁକଲାଲ ସାହୁ (୮୦)। ହତ୍ୟାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ମୃତଦେହ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଦଳ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ଗୁଣି ଗାରେଡ଼ି ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।
ପ୍ରକାଶ ଯେ,  ସୁକଲାଲ ପ୍ରତିଦିନ ପରି ରବିବାର ଭୋରରେ ବିଛଣାରୁ ଉଠି ନିଜ ଜମି ପଟେ ଯାଉଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଆସି ୩୫୩ ନମ୍ବର ଜାତୀୟ ରାଜପଥ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ବାସ ଭବନ ଆଗରେ ସୁକଲାଲଙ୍କୁ  ଅତର୍କିତ ଭାବରେ ଆକ୍ରମଣ କରିଥିଲେ।
ଏସ୍ପିଙ୍କ ବାସଭବନରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର  କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ଟେର ପାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।
                         
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
