ଘର ଆଗରେ ପେଟ୍ରୋଲ ଢାଳି ସ୍କର୍ପିଓରେ ଲଗାଇଦେଲେ ନିଆଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚୋରି, ଛିନତାଇ, ଆକ୍ରମଣ ଭଳି ଆପରାଧିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ଅପରାଧୀମାନେ ରାସ୍ତାରୁ କଲୋନୀ ଆତଙ୍କ ଖେଳାଉଥିବାରୁ ସହରବାସୀ ନିଜ ଧନଜୀବନକୁ ନେଇ ଅସୁରକ୍ଷିତ ମଣୁଛନ୍ତି। ଘଟଣାକ୍ରମରେ ଦୁଇଜଣ ଦୁର୍ବୃତ୍ତ ଘର ଆଗରେ ଥୁଆ ହୋଇଥିବା ଏକ ସ୍କର୍ପିଓରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ୍‌-୫ ଅଞ୍ଚଳରେ ଶନିବାର ରାତିରେ ଏଭଳି ଘଟଣା ଘଟିଛି। ସିସି କ୍ୟାମେରାରେ ପୂରା ଘଟଣା କଏଦ ହୋଇଥିବାବେଳେ ନେଇ ଗାଡି ମାଲିକାଣୀ ରଞ୍ଜିତା ପଟ୍ଟନାୟକ ରବିବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଥିବା ପୋଲିସ କହିଛି। ତେବେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଅଧିକାଂଶ ମହିଳା ନିଜ ଜୀବନ ପ୍ରତି ବିପଦ ଥିବା କହିବା ସହ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହାସହ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅପରପକ୍ଷେ ଉକ୍ତ ସ୍କର୍ପିଓ ପାଖରେ ଅନ୍ୟ ଗାଡି, ବାହାଘର ପାଇଁ ପ୍ରସ୍ତୁତ ଟେଣ୍ଟ ଓ ଘର ରହିଥିଲା। ନିଅଁା ବ୍ୟାପିବା ପୂର୍ବରୁ ସ୍ଥାନୀୟ ଲୋକେ ତାହାକୁ ଲିଭାଇ ଦେଇଥିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଛି।
ପୋଲିସ ସୂଚନାନୁସାରେ, ରଞ୍ଜିତା ତାଙ୍କ ପୁଅ ସହ କୌଣସି କାମରେ ଶନିବାର ରାତି ପାଖାପାଖି ୧୧ ଟାରେ ନୟାପଲ୍ଲୀ ଯାଇଥିଲେ। ଘର ପାଖରେ ତାଙ୍କ ସ୍କର୍ପିଓ ରହିଥିଲା। ସେମାନେ ଯିବାର ୧୦ ମିନିଟ ପରେ ଦୁଇ ବ୍ୟକ୍ତି ଗୋଟିଏ ବୁଲେଟରେ ରଞ୍ଜିତାଙ୍କ ଗାଡି ପାଖକୁ ଯାଇଥିଲେ। ହାତରେ ପେଟ୍ରୋଲ ଭର୍ତ୍ତି ବୋତଲ ମଧ୍ୟ ରହିଥିଲା। ଏହାପରେ ଜଣେ ବୁଲେଟରେ ବସିଥିବା ବେଳେ ଅନ୍ୟଜଣେ ଯୁବକ ଗାଡିର ଚାରିପଟେ ପେଟ୍ରୋଲ ଛିଞ୍ଚି ଦିଆସିଲରେ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ନେଇ ଜଣେ ପଡୋଶୀ ସିସିଟିଭିରୁ ଦେଖିବା ପରେ ବାହାରକୁ ଆସି ବଡ଼ପାଟିରେ ଡାକ ପକାଇଥିଲେ। ଆଖପାଖରେ ରହୁଥିବା ଲୋକେ ଦୌଡି ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ।