ବିଏସ୍ପି ଅଧ୍ୟକ୍ଷଙ୍କୁ ଛୁରୀ ଭୁଷି ହତ୍ୟା, ୮ ଅଟକ
ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ହତ୍ୟା। ଘରେ ପଶି ତାମିଲନାଡୁର ବିଏସ୍ପି ଅଧ୍ୟକ୍ଷ ଆର୍ମଷ୍ଟ୍ରାଙ୍ଗଙ୍କୁ ଛୁରୀ ଭୁଷି ହତ୍ୟା କରଛନ୍ତି ଦୁର୍ବୃତ୍ତ। ୬ଟି ବାଇକ୍ରେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଛୁରୀର ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଅପରାଧିମାନେ ୬ଟି ବାଇକ୍ରେ ଆସି ପେରାମ୍ବୁର ସଦାୟପ୍ପନ୍ ଷ୍ଟ୍ରିଟ୍ରେ ତାଙ୍କୁ ଛୁରା ମାଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ କହିବା ମୁତାବକ, ଆର୍ମଷ୍ଟ୍ରଙ୍ଗ ତାଙ୍କ ଘରେ ପ୍ରବେଶ କରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆର୍ମଷ୍ଟ୍ରଙ୍ଗଙ୍କୁ ଗ୍ରିମସ ରୋଡରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ରାଜ୍ୟର ବିଏସ୍ପି ଅଧ୍ୟକ୍ଷଙ୍କୁ ହତ୍ୟା କରିବା ଖବର ଶୁଣିବା ପରେ ଘଟଣାସ୍ଥଳ ଓ ହସ୍ପିଟାଲରେ ସମର୍ଥକଙ୍କ ଭିଡ ଜମିଛି। ତାମିଲନାଡୁ ବିଏସପି ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟାକୁ ବିରୋଧ କରି ବାହୁଜନ ସମାଜ ପାର୍ଟିର କର୍ମୀ ଏବଂ ସମର୍ଥକମାନେ ଚେନ୍ନାଇରେ ରାସ୍ତା ଅବରୋଧ କରିଛନ୍ତି। ସମସ୍ତ ସମର୍ଥକ ବାଇକ୍ ଆରୋହୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଛନ୍ତି।