ଆମେରିକାର ଦୃଷ୍ଟିକୋଣ ଓ ଅସଲ ଆଭିମୁଖ୍ୟ

ଡ.ସମନ୍ୱୟ ନନ୍ଦ : ଆମେରିକା ସର୍ବଦା ଅନ୍ୟ ଦେଶ ବିଶେଷ ଭାବେ ଭାରତକୁ ଧାର୍ମିକ ସ୍ୱାଧୀନତାର ପାଠ ପଢାଇ ଥାଏ । ସେ ନିଜକୁ ଧାର୍ମିକ ଦୃଷ୍ଟିରୁ ଉଦାର ବୋଲି ଦାବି କରିଥାଏ । ବାରାକ ଓବାମାଙ୍କ ଠାରୁ ଆରମ୍ଭ କରି ଆମେରିକାର ଅନ୍ୟ ନେତା ମାନେ କନଭର୍ସନ ମାମଲାରେ ପ୍ରତିବନ୍ଧକ ସୃଷ୍ଟି କରାଯିବାକୁ ନେଇ ମହାତ୍ମା ଗାନ୍ଧୀଙ୍କ ନାମ ନେଇ ଉପଦେଶ ଦେଇଥାନ୍ତି । କିନ୍ତୁ ଆମେରିକାର ଉପ ରାଷ୍ଟ୍ରପତି ଜେ.ଡି ଭେନ୍ସ ଏବେ କିଛି ଦିନ ତଳେ ତାଙ୍କ ହିନ୍ଦୁ ପତ୍ନୀ ଉଷାଙ୍କୁ ନେଇ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ଆମେରିକା ଭଳି ଦେଶର ପାଖଣ୍ଡତାକୁ ସ୍ପଷ୍ଟ କରିଛି । ଅନ୍ୟ ଦେଶ ମାନଙ୍କୁ ଧାର୍ମିକ ସ୍ୱାଧୀନତା ପ୍ରଦାନ ପାଇଁ ପାଠ ପଢାଉଥିବା ଆମେରିକା ଏହି ମାମଲାରେ ନିଜେ କେତେ ସଂକୀର୍ଣ୍ଣ ଓ ହିନ୍ଦୁ ବିରୋଧୀ ତାହା ଉପରୁ ଏହି ଘଟଣା ପରଦା ଉଠାଇ ଦେଉଛି । ଆମେରିକା ନିଜକୁ ଯେତେ ସେକୁଲାର ଓ ଲିବରାଲ କହୁ ପଛେ ବାସ୍ତବରେ ଏହି ଘଟଣା ଆମେରିକାରେ ସଂସ୍ଥାଗତ ଖ୍ରିଷ୍ଟିଆନିଟି ଶ୍ରେଷ୍ଠତାବାଦ (ସୁପ୍ରିମେସି) ଓ ହିନ୍ଦୁ ବିରୋଧକୁ ପ୍ରତିବିମ୍ବିତ କରୁଛି । 

     

        ଏବେ ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଉକ୍ତ ବକ୍ତବ୍ୟ ଉପରେ ଦୃଷ୍ଟି ପକାଇବା ଓ ଏହାର ବିଶ୍ଲେଷଣ କରିବା । ଏହା ପୂର୍ବରୁ ଆମେ ଜାଣି ରଖିବା ଯେ ତାଙ୍କର ପତ୍ନୀ ଉଷା ବାଲା ଚିଲିକୁରୀ ଜଣେ ତେଲୁଗୁ ହିନ୍ଦୁ ପରିବାରର ଝିଅ । ଭାନ୍ସ ତାଙ୍କର ବକ୍ତବ୍ୟରେ କହିଲେ ଯେ ସେ ଆଶା କରୁଛନ୍ତି ଯେ, ଭବିଷ୍ୟତରେ ତାଙ୍କର ପତ୍ନୀ ଖ୍ରୀଷ୍ଟିଆନିଟିରେ କନଭର୍ଟ ହୋଇଯିବେ । ସେ କହିଛନ୍ତି ଯେ, ଏହା ତାଙ୍କର ମୁକ୍ତ ଇଚ୍ଛା ଓ ପରସ୍ପରର ସମ୍ମାନରେ ଏପରି କରିବେ । ଭାନ୍ସଙ୍କ ଏହି ବକ୍ତବ୍ୟ କୌଣସି ସାଧାରଣ ମନ୍ତବ୍ୟ ନ ଥିଲା । ଏହା ବାସ୍ତବରେ ଆମେରିକାର ଥିବା ଗଭୀର ବିଚାରଧାରାର ସଂରଚନାର ଏକ ଝଲକ ଯେଉଁଥିରେ ଆମେରିକାର ରାଜନୀତି, ସମାଜ ଓ ଗଣମାଧ୍ୟମ ଆଦି ଛନ୍ଦି ହୋଇ ରହିଛନ୍ତି । ଆମେରିକାର ଏହା ହେଉଛି ଏକ ଏପରି ସଂରଚନା ଯାହା ଖ୍ରୀଷ୍ଟିଆନିଟୀକୁ ନିଜର ରାଷ୍ଟ୍ରୀୟ ପରିଚୟ ବୋଲି ପ୍ରସ୍ତୁତ କରିଥାଏ ଓ ଅନ୍ୟ ଧର୍ମ ଓ ସଂସ୍କୃତିକୁ ଦ୍ୱିତୀୟ ଶ୍ରେଣୀର ବୋଲି ମନେ କରିଥାଏ । ଭାନ୍ସଙ୍କର ଏହି ବକ୍ତବ୍ୟ ପ୍ରମାଣିତ କରେ ଯେ ନିଜକୁ ସେକୁଲାର ଓ ଲିବରାଲ ଦେଶ ବୋଲି କହି ଡିଂଡିମ ପିଟୁଥିବା ଏହି ଗୋରା ଦେଶରେ ବାସ୍ତବରେ ଖ୍ରିଷ୍ଟିଆନ ଶ୍ରେଷ୍ଠତାବାଦ (ସୁପ୍ରିମେସୀ) କେତେ ଗଭୀର ଭାବେ ରହିଛି । ଭାରତରେ ଯେତେବେଳେ ଗୋରା ଦେଶ ମାନଙ୍କରୁ ଆସୁଥିବା ବିଦେଶୀ ଅର୍ଥରେ ସରଳ ଲୋକ ମାନଙ୍କୁ କନଭର୍ଟ କରି ସେମାନଙ୍କର ଗଳାରେ କ୍ରସ ଝୁଲାଇ ସେମାନଙ୍କୁ ତାଙ୍କର ପୂର୍ବ ପୁରୁଷ ମାନଙ୍କ ଠାରୁ କାଟି ଦେବାକୁ ପ୍ରୟାସ କରାଯାଏ ଓ ସେତେବେଳେ ଯଦି କେହି ଏହାକୁ ବିରୋଧ କରନ୍ତି, ଠିକ ସେତେବେଳେ ଆମେରିକା ଖୋଲା ଖୋଲି ଭାବେ ଏହି କନଭର୍ଟ କରୁଥିବା ସମୂହ ମାନଙ୍କର ସମର୍ଥନରେ ଠିଆ ହୋଇଥିବା ଦେଖିବାକୁ ମିଳେ । ଆମେରିକା ସରକାର ବିଭିନ୍ନ ଦେଶ ମାନଙ୍କରେ କନଭର୍ଟ କରୁଥିବା ଶକ୍ତି ମାନଙ୍କ ଉପରେ କୌଣସି କଟକଣା ଲାଗିଲେ ତା ଉପରେ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରୁଥିବା ଦେଖିବାକୁ ମିଳେ । ଭାନ୍ସଙ୍କ ପତ୍ନୀ ଉଷା ଗତ କିଛି ଦିନ ତଳେ କହିଥିଲେ ଯେ ତାଙ୍କୁ ଖ୍ରିଷ୍ଟିଆନିଟୀରେ କନଭର୍ଟ ହେବାର କୌଣସି ଇଚ୍ଛା ନାହିଁ । ସେ ତାଙ୍କର ପିଲା ମାନଙ୍କୁ ଉଭୟ ଖ୍ରିଷ୍ଟିଆନିଟି ଓ ହିନ୍ଦୁ ଧର୍ମ ବିଷୟରେ ଅବଗତ କରାଉଛନ୍ତି । ଉଷାଙ୍କର ଏହି ଆଭିମୁଖ୍ୟ ଅତ୍ୟନ୍ତ ସନ୍ତୁଳିତ । ହେଲେ ଭାନ୍ସଙ୍କ ଆଭିମୁଖ୍ୟ କଣ ? ଭାନ୍ସ ଆଶା ପ୍ରକାଶ କରୁଛନ୍ତି ଯେ ଉଷା ଖୁବ ଶୀଘ୍ର ଖ୍ରୀଷ୍ଟିଆନ ହୋଇଯିବେ । ଭାନ୍ସଙ୍କ ଏଭଳି ଆଶା କରିବା ହେଉଛି ବାସ୍ତବରେ ସନ୍ତୁଳନକୁ ବିଗାଡିବା । ଏଠାରେ କେହି ତର୍କ ଦେଇ ପାରନ୍ତି ଯେ ଜେଡି ଭାନ୍ସ ତାଙ୍କ ପତ୍ନୀ ଖ୍ରୀଷ୍ଟିଆନିଟିରେ କନଭର୍ଟ ହେବାକୁ ଆଶା କରିବା ତାଙ୍କର ବ୍ୟକ୍ତିଗତ ପ୍ରସଙ୍ଗ । ଏହାକୁ ଆମେରିକା ସହ ଯୋଡିବା ଠିକ ନୁହେଁ । ତେବେ ଏଠାରେ ଏପରି କଥା ଅତାର୍କିକ । ଏହାର କାରଣ ହେଲା ଯେ ଯେତେବେଳେ କୌଣସି ଦେଶର ସର୍ବୋଚ୍ଚ ନେତା ଯେତେବେଳେ ଅନ୍ୟ ଧର୍ମକୁ ମାନୁଥିବା କୌଣସି ବ୍ୟକ୍ତିକୁ ଖ୍ରୀଷ୍ଟିଆନିଟିରେ କନଭର୍ଟ କରିବାକୁ ସାର୍ବଜନୀନ ଭାବେ ଆଶା ବ୍ୟକ୍ତ କରି ବକ୍ତବ୍ୟ ଦିଏ, ସେତେବେଳେ ତାହା ଆଉ ବ୍ୟକ୍ତିଗତ ମାମଲା ହୋଇ ରହି ଯାଏ ନାହିଁ । ବାସ୍ତବରେ ଏହା ଉକ୍ତ ସମାଜର ସାମୂହିକ ମାନସିକତାର ପ୍ରତିବିମ୍ବ ହୋଇଯାଏ, ଯାହା କୌଣସି ବିଶେଷ ଧର୍ମକୁ ଶ୍ରେଷ୍ଠ ବୋଲି ମନେ କରିଥାଏ। ତେଣୁ ଭାନ୍ସଙ୍କ ଏହି ବକ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ମାମଲା ବୋଲି ଧରା ଯାଇ ପାରିବ ନାହିଁ । 


    ଏବେ ତଥାକଥିତ ଉଦାରବାଦୀ ଦେଶ ଆମେରିକା ସହ ଭାରତର ତୁଳନା କରିବା । ଯଦି ଭାରତର କଥା କହିବା ତେବେ ଭାରତର ସ୍ଥିତି ଏହା ଠାରୁ ସମ୍ପୂର୍ଣ ଭିନ୍ନ ବୋଲି ମନେ ହୁଏ । ଭାରତର କୌଣସି ରାଜନେତାଙ୍କ ପତ୍ନୀ କେଉଁ ଧର୍ମର ସେ ବିଷୟରେ କୌଣସି ପ୍ରକାର ସାର୍ବଜନୀନ ଚର୍ଚ୍ଚା ହୁଏ ନାହିଁ । ଉଦାହରଣ ସ୍ୱରୂପ ରାଜୀବ ଗାନ୍ଧୀ ଯେତେବେଳେ ସୋନିଆଙ୍କୁ ବିବାହ କଲେ ସେତେବେଳେ କେହି ଏହା ଉପରେ ଆପତି ବ୍ୟକ୍ତ କରି ନ ଥିଲେ । ଏହା ବାଦ ରାଜୀବ ଗାନ୍ଧୀ ତାଙ୍କୁ ହିନ୍ଦୁ ଧର୍ମ ସ୍ୱୀକାର କରିବାକୁ ଚାପ ପକାଇଥିଲେ, ଏଭଳି କଥା କେବେ ହେଲେ ସାର୍ବଜନୀନ ହୋଇ ନାହିଁ । ହଁ ଏତିକି ଯେ ଯେତେବେଳେ ରାଜୀବ ଗାନ୍ଧୀଙ୍କର ମୃତ୍ୟୁ ହେଲା ଓ ସୋନିଆଙ୍କୁ ଦେଶର ନେତୃତ୍ୱ ନେବା କଥା ଆଲୋଚନା ହେଲା ସେତେବେଳେ ତାଙ୍କର ବିଦେଶୀ ମୂଳର ଜନ୍ମ ବିଷୟ ଉଠିଥିଲା । ହେଲେ ସେତେବେଳେ ମଧ୍ୟ କେହି ପଚାରି ନ ଥିଲେ ଯେ ସୋନିଆ ଗାନ୍ଧୀ ହିନ୍ଦୁ ହୋଇ ସାରିଛନ୍ତି ନା ଖ୍ରୀଷ୍ଟିଆନ ହୋଇ ଏବେ ବି ଅଛନ୍ତି ? ତେଣୁ ଭାରତକୁ ଉପଦେଶ ଦେଉଥିବା ଆମେରିକାର ନେତା ମାନଙ୍କର ଦୃଷ୍ଟିକୋଣ ଯେ ଅତ୍ୟନ୍ତ ସଂକୀର୍ଣ୍ଣ ତାହା ସ୍ପଷ୍ଟ ହୋଇ ସାରିଛି । 


   ତେବେ କଣ ବାସ୍ତବରେ ଧାର୍ମିକ ସ୍ୱାଧୀନତାର ଏହି ପାଖଂଡ ଜେଡି ଭାନ୍ସଙ୍କ ଏହି ବକ୍ତବ୍ୟ ପରେ ସାର୍ବଜନୀନ ହେଲା ? ଏହା ପୂର୍ବରୁ ଏପରି କିଛି ନ ଥିଲା ? ଏକଥା ସତ ଯେ ଆମେରିକା ନିଜର ସମ୍ବିଧାନରେ ଧାର୍ମିକ ସ୍ୱାଧୀନତାର କଥା ଜୋରସୋରରେ କହିଥାଏ । କିନ୍ତୁ ଆମେରିକାର ସଂସ୍ଥାଗତ ସଂରଚନାରେ ସବୁବେଳେ ଖ୍ରିଷ୍ଟିଆନିଟୀକୁ ପ୍ରାଧାନ୍ୟ ଓ ଅଗ୍ରାଧିକାର ପ୍ରଦାନ କରାଯାଇଥାଏ । ସରକାରୀ କାର୍ଯ୍ୟକ୍ରମ ମାନଙ୍କର ବାଇବେଲରେ ଶପଥ ଗ୍ରହଣ କରାଯାଇଥାଏ , ସ୍କୁଲ ଗୁଡିକରେ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯାଇଥାଏ । ସାର୍ବଜନୀନ ଜୀବନରେ ଗ଼ଡ୍‌ ର ବାରମ୍ବାର ଉଲ୍ଲେଖ କରାଯାଇଥାଏ । ଏହା ସ୍ପଷ୍ଟ କରେ ଯେ ଆମେରିକାର ଉଦାରବାଦ ଓ ସେକୁଲାରିଜମ କେବଳ ଦେଖାଇବା ପାଇଁ, ଆଚରଣ କରିବାକୁ ନୁହେଁ । 


   ଯଦି ଆମେ ଇତିହାସ ପୃଷ୍ଠାକୁ ଓଲଟାଇବା ତେବେ ଦେଖିବା ଯେ ସ୍ୱାମୀ ବିବେକାନନ୍ଦଙ୍କ ସମୟରୁ ହିଁ ହିନ୍ଦୁ ଶବ୍ଦକୁ ଅତ୍ୟନ୍ତ ତିରସ୍କାର ଓ ଉପହାସର ସହିତ ବ୍ୟବହାର କରାଯାଇ ଆସୁଛି । ଆମେରିକାରେ ଗଣମାଧ୍ୟମ, ଓ ରାଜନୀତିରେ ହିନ୍ଦୁ ଧର୍ମକୁ ଅତ୍ୟନ୍ତ ଖରାପ ଦୃଷ୍ଟିରେ ପ୍ରସ୍ତୁତ କରାଯାଇଥାଏ । ବର୍ତମାନ ସମୟରେ ଆମେରିକାରେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଓ ଭାରତୀୟ ମାନଙ୍କର ପ୍ରତି ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ବଢିଛି । ତେବେ ଆମେରିକାର ଏହି ଦୋହରା ଚରିତ୍ର ଓ ପାଖଣ୍ଡର କାରଣ କଣ ? ଯଦି ଆମେ ଏହାକୁ ବିଶ୍ଲେଷଣ କରିବା ତେବେ ଦେଖିବା ଯେ ଏହା ପଛରେ ଏକ ମାନସିକତା ରହିଛି । ଉକ୍ତ ମାନସିକତାଟି ହେଲା ଯେ ସାରା ବିଶ୍ୱକୁ ଖ୍ରୀଷ୍ଟିଆନ ମୂଲ୍ୟବୋଧ (ଖ୍ରୀଷ୍ଟିଆନ ଭେଲ୍ୟୁଜ) ଅନୁସାରେ ଚଳାଇବା । ସାରା ବିଶ୍ୱକୁ କନଭର୍ଟ କରିବା, ସେମାନଙ୍କର ସଂସ୍କୃତି, ପରମ୍ପରା, ପୂର୍ବପୁରୁଷଙ୍କ ଠାରୁ ସେମାନଙ୍କୁ କାଟିବା ଓ ସମସ୍ତଙ୍କ ବେକରେ କ୍ରସ ଝୁଲାଇବା । ଏହା ହିଁ ତାଙ୍କର କର୍ତ୍ତବ୍ୟ । ଏହି କାରଣରୁ ଭାରତ ଭଳି ଦେଶକୁ ସବୁବେଳେ ଉପଦେଶ ଦେଉଥିବା ଆମେରିକାର ନିଜର ମୂଳଦୁଆ ଧାର୍ମିକ ପକ୍ଷପାତ ଉପରେ ଠିଆ ହୋଇଛି ।


    ଆମେରିକା ନିଜକୁ ଗଣତନ୍ତ୍ରର ସଂରକ୍ଷକ ଓ ଆଦର୍ଶ ବୋଲି ଦାବି କରିଥାଏ, ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିଥାଏ ବୋଲି କହିଥାଏ, ହେଲେ ବାସ୍ତବିକତା ହେଲା ଆମେରିକାର ଇତିହାସରେ ବର୍ତ୍ତମାନ ଯାଏ କେହି ଅଣ ଖ୍ରୀଷ୍ଟିଆନ ରାଷ୍ଟ୍ରପତି ହୋଇ ପାରି ନାହାନ୍ତି । କେବଳ ସେତିକି ନୁହେଁ କେହି ମହିଳା ମଧ୍ୟ ଏହି ପଦରେ ପହଂଚି ନାହାନ୍ତି । ଆମେରିକାର ରାଷ୍ଟ୍ରପତିଙ୍କ ବାଇବେଲରେ ଶପଥ ନେବା, ଆମେରିକୀୟ ଗଣମାଧ୍ୟମର ହିନ୍ଦୁ ଧର୍ମ ପ୍ରତି ପୂର୍ବାଗ୍ରହ, ଆମେରିକାର ନେତା ମାନଙ୍କର ଧାର୍ମିକ ଟିପ୍ପଣୀ ସ୍ପଷ୍ଟ କରୁଛି ଯେ ଆମେରିକାରେ ସେକୁଲାରିଜମ କେବଳ ଦେଖାଇବା ପାଇଁ । ଏହା ହେଉଛି ଆମେରିକାର ଅସଲ ଚରିତ୍ର ।